
ଓଡିଶା ସୀମାରୁ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ପୁଲିସ
ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ୍ ସୀମାନ୍ତରେ ଥିବା ଛତିଶଗଡ଼ ରାୟଗଡ଼ ଜିଲା କୋଡ଼ାତରାଇରୁ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ସ୍ଥାନୀୟ ପୁଲିସ ସୋମବାର ଗିରଫ କରିଛି। ଏ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କ ନାମ ଇଫତିଖାର ଶେଖ (୨୯) ଓ ଆର୍ମିଶ(୨୫) ବୋଲି ଜଣାପଡିଛି।
କୋଡ଼ାତରାଇ ଗାଁର ୟାକୁବ ଶେଖଙ୍କ ଘରେ ତଲାସୀ ବେଳେ ମିଳିଥିବା ଭିସା, ପାସପୋର୍ଟ, ଭୋଟର ପରିଚ଼ୟ ପତ୍ର ଓ ବ୍ୟାଙ୍କ ଜମାଖାତା ଯାଞ୍ଚ କରିବାରୁ ଇଫତିଖାର ଓ ଅାର୍ମିଶ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି। ସେମାନଙ୍କ ପାସପୋର୍ଟ ଓ ଭିସା ବୈଧ ହୋଇଥିଲେ ମଧ୍ୟ ଦୁଇ ଜଣ ନିର୍ବାଚନ ଆୟୋଗର ଫର୍ମ ନମ୍ବର ୬ରେ ଭୁଲ ତଥ୍ୟ ଦେଇ ଭୋଟର ପରିଚୟ ପତ୍ର ହାସଲ କରିଛନ୍ତି। ତେଣୁ ଇଫତିଖାର ଓ ଆର୍ମିଶଙ୍କ ବିରୋଧରେ ଜୁଟମିଲ ଥାନାରେ ୧୫୨/୨୦୨୫ ନମ୍ବର ମାମଲା ରୁଜୁ ହୋଇଛି। ଦୁହିଁଙ୍କୁ ଭାରତୀୟ ଦଣ୍ଡବିଧି ଧାରା ୧୯୯, ୨୦୦, ୪୧୯, ୪୬୭, ୪୬୮ ଓ ୩୪ ଅନୁସାରେ ଛତିଶଗଡ଼ ପୁଲିସ ଗିରଫ କରିଛି। ଏ ଦୁଇ ଜଣ କେବେଠାରୁ ଓ କାହିଁକି ଏଠାରେ ରହୁଥିଲେ ସ୍ଥାନୀୟ ପୁଲିସ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନାହିଁ। ତେେବ ଏ ଦୁଇ ଜଣ ସ୍ବାମୀ-ସ୍ତ୍ରୀ ନୁହନ୍ତି ବୋଲି ସେଠାକାର ପୁଲିସ ସ୍ପଷ୍ଟ କରିଛି।