ନୂଆ ଶିକ୍ଷାବର୍ଷରୁ ୨୦ଟି ନୂଆ ପାଠ୍ୟକ୍ରମ ଯୁକ୍ତତିନି କଳା, ବିଜ୍ଞାନ ଓ ବାଣିଜ୍ୟରେ ଲାଗୁ ହେବ
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ ପଦକ୍ଷେପ ନିଆଯାଉଛି । ତେବେ ଉଚ୍ଚଶିକ୍ଷାରେ ମଡେଲ ୟୁଜି ପାଠ୍ୟକ୍ରମ ଲାଗୁ ହେବା ନେଇ ପୂର୍ବରୁ ପରିକଳ୍ପନା କରାଯାଇଥିଲା । ତେଣୁ ନୂଆ ଶିକ୍ଷା ବର୍ଷରୁ ନୂଆ ପାଠ୍ୟକ୍ରମକୁ ସାମିଲ କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ କରଯାଇଛି ।
ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି । ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପାଠ୍ୟକ୍ରମରେ ୧୦ଟି ନୂଆ ଇଲେକ୍ଟିଭ ଓ ୧୦ଟି ଦକ୍ଷତା ବିକାଶ କୋର୍ସକୁ ସାମିଲ କରିବା ନେଇ ବିଚାର କରାଯାଉଛି । ଏହି ପାଠ୍ୟକ୍ରମକୁ ସାମିଲ କରିବା ଫଳରେ ଛାତ୍ରଛାତ୍ରୀମାନେ ନିଯୁକ୍ତି କ୍ଷେତ୍ରରେ ଅଧିକ ଦକ୍ଷ ହେବା ସହ ସେମାନେ ଏକାଧିକ ବିଷୟ ଚୟନ କରିବାର ସୁଯୋଗ ପାଇ ପାରିବେ ।
ମେନ ପେପର ସହିତ ଇଲେକ୍ଟିଭରେ ଦକ୍ଷତା ବିକାଶ କୋର୍ସ ଓ ମୂଲ୍ୟଯୁକ୍ତ ଶିକ୍ଷାକୁ ସାମିଲ କରିବା ଫଳରେ ପିଲାମାନେ ପୂର୍ବାପେକ୍ଷା ଅଧିକ ଉପକୃତ ହୋଇ ପାରିବେ । ପିଲାମାନେ କିପରି ଗବେଷଣାମୁଖୀ ହୋଇ ପାରିବେ ତା’ ଉପରେ ପରିଷଦ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ତେବେ ମୂଲ୍ୟଯୁକ୍ତ ଶିକ୍ଷାର ବିଷୟଗୁଡ଼ିକ ମଧ୍ୟରେ ପରିବେଶ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ରହିଥିବା ବେଳେ ଦକ୍ଷତା ବିକାଶ କୋର୍ସରେ ରିଜନିଂ, ଡାଟା ହ୍ୟାଣ୍ଡେଲିଂ, କମ୍ପ୍ୟୁଟର ଥ୍ରି-ଡି ଗ୍ରାଫିକ୍ସ ଆଦି ରହିଛି । ଏହି ଅଭିନବ ପ୍ରୟାସ ଫଳରେ ଏକାଧିକ ବିଷୟରେ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧି ହେବା ସହ ସେମାନଙ୍କ ଭବିଷ୍ୟତ ବେଶ୍ ଉଜ୍ଜ୍ୱଳ ହୋଇ ପାରିବ ବୋଲି କୁହାଯାଉଛି ।