ରାଜ୍ୟର ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର ଉନ୍ନୀତ ହୋଇ ହେଲା ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୭୪୧୫୪ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୦୪୧୬ ମିନି ଅଙ୍ଗନବାଡି ଥିଲା .ତନ୍ମଧ୍ୟରୁ ୨୮୩୬ ମିନି ଅଙ୍ଗନବାଡି ଏବେ ଉନ୍ନୀତ ହେଲା।

ଏହାସହିତ ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଯଥା ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିପାଇଁ ସାରା ରାଜ୍ୟରେ ୧୧୪ଟି ସୁପର ଭାଇଜର ପଦବୀ ସୃଷ୍ଟି କରାଯାଇଛି । ଏହି ଅପଗ୍ରେଡେସନ ସହିତ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ ସହାୟତା କରିବା ପାଇଁ ଜଣେ ଜଣେ ଅଙ୍ଗନବାଡି ସହାୟକ ନିଯୁକ୍ତ କରାଯିବ। ଏହିପରି ୨୮୩୬ ଅଙ୍ଗନବାଡି ସହାୟକଙ୍କୁ ନିଯୁକ୍ତ କରାଯିବ ଏବଂ ଏହାସହିତ, ୨୮୩୬ ମିନି ଅଙ୍ଗନବାଡି କର୍ମୀ ପଦବୀକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କର୍ମୀ ପଦବୀ ସୃଷ୍ଟି କରାଯିବ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୮,୭୫,୪୧,୪୪୦ ଟଙ୍କା ଖର୍ଚ୍ଚ କରିବେ।

Related Articles

Back to top button