ଭୁବନେଶ୍ୱରରେ ଆରମ୍ଭ ହେଲା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜି ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି । ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶଗ୍ରହଣ କରୁଛନ୍ତି । ଏହି ବୈଠକର ବିଷୟବସ୍ତୁ ରହିଛି ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‍ କରିଥାଏ । ଏହି ଅବସରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଶନ ରେଡୀ, ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ଯୋଗଦେଇଥିଲେ ।

ଏଥିପୂର୍ବରୁ ମଧ୍ୟପ୍ରଦେଶର ଖଜୁରୋହୋ ଠାରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା । ଏହାପରେ ଦୁଇ ମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ବିଷୟବସ୍ତୁ ଉପରେ ଆଧାରିତ ୱେବିନାରରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା । ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀରେ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଏହି ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଯଥା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଧ୍ୟାନ ଦିଆଯିବ ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଏକ ଉନ୍ନତ ଜୀବନଶୈଳୀ କ୍ଷେତ୍ରରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ନିରନ୍ତର ବିକାଶ ଏବଂ ବିଭିନ୍ନ ବୈଶ୍ୱିକ ସମସ୍ୟାକୁ ପ୍ରତିହତ କରିବା ଦିଗରେ ଏହା ବିଶେଷ ସହାୟକ ହୋଇଥାଏ ବୋଲି ସେମାନେ କହିଛନ୍ତି । ଏହି ଅବସରରେ ପୁରୀ ଠାରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏକ ବାଲୁକାକଳା ପ୍ରଦର୍ଶନୀର ଆୟୋଜନ ହୋଇଛି ।

Related Articles

Back to top button