
ଜାଲ ଦସ୍ତାବିଜରେ ଜମି ଠକେଇ କରିବା ଅଭିଯୋଗରେ ଅବସରପ୍ରାପ୍ତ ବିଏମ୍ସି କର୍ମଚାରୀଙ୍କ ସମେତ ୩ ଗିରଫ
ଭୁବନେଶ୍ୱର: ଜାଲ ଦସ୍ତାବିଜ ଜରିଆରେ ଜମି ଠକେଇ କରିବା ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱରରେ ରହୁଥିବା ହଳଧର ଦାସ, ସୁବୋଧ କୁମାର ପରିଡ଼ା ଓ ମମତା ପରିଡ଼ା। ଏଥିସହ ଇଓଡବ୍ଲ୍ୟୁ ପକ୍ଷରୁ ଖଣ୍ଡଗିରିସ୍ଥିତ ସବ୍ରେଜିଷ୍ଟ୍ରାର ଅଫିସରୁ ସେଲ୍ ଡିଡ୍ର ନକଲ, ଜାଲ୍ ଆଧାର କାର୍ଡ କପି ସହ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଛି। ସେହିଭଳି ମମତାଙ୍କ ପାଖରୁ ଆଧାର କାର୍ଡ, ଭୋଟର ଆଇକାର୍ଡ ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି। ତେବେ ହଳଧର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅବସରପ୍ରାପ୍ତ କର୍ମଚାରୀ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ନସଦିପୁର ଗ୍ରାମର ଲିପିକା ଦାସଙ୍କର ଭୁବନେଶ୍ୱର ମଳିପଡ଼ା ମୌଜାସ୍ଥିତ ବସନ୍ତ ବିହାରରେ ୨ ହଜାର ବର୍ଗଫୁଟ୍ର ଏକ ଜମି ରହିଛି। ସେ ଉକ୍ତ ଜମିକୁ ୧୯୯୯ରେ କିଣିଥିଲେ ଓ ତାଙ୍କ ପାଖରେ ଏହାର ସମସ୍ତ ଦସ୍ତାବିଜ ରହିଛି। ତେବେ କିଛିଦିନ ତଳେ ସେ ଖଜଣା ଦେବାକୁ ଯିବାବେଳେ ତାଙ୍କ ଜମି ଅଭିଯୁକ୍ତ ହଳଧରଙ୍କ ନାମରେ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଗତ ମଙ୍ଗଳବାର ଏକ ମାମଲା (ନଂ.୭/୨୦୨୩) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଜଣେ ମୋହରିରଙ୍କ ସାହାଯ୍ୟରେ ଖଣ୍ଡଗିରିସ୍ଥିତ ସବ୍ ରେଜିଷ୍ଟ୍ରାର ଅଫିସରେ ଲିପିକାଙ୍କ ଦସ୍ତଖତକୁ ନକଲ କରି ଏହି ଠକେଇ କରିଛନ୍ତି। ଏପରିକି ରେଜିଷ୍ଟ୍ରାର ସେଲ୍ ଡିଡ୍ରେ ଦିଆଯାଇଥିବା ଆଧାର ନମ୍ବର ଜମିର ପ୍ରକୃତ ମାଲିକ ଲିପିକାଙ୍କ ରହିଥିବାବେଳେ ସେଥିରେ ଅଭିଯୁକ୍ତା ମମତାଙ୍କ ଫଟୋ ରହିଛି। ତେବେ ମମତା ଉକ୍ତ ଜମିର ପ୍ରକୃତ ମାଲିକ ସାଜି ଅଭିଯୁକ୍ତ ସୁବୋଧଙ୍କୁ ସାକ୍ଷୀ ଦର୍ଶାଇ ହଳଧରଙ୍କୁ ବିକ୍ରି କରିଥିବା ଜଣାପଡିବା ପରେ ପଦକ୍ଷେପ ନିଆଯାଇଥିବା ଇଓଡବ୍ଲ୍ୟୁ ଡିଏସ୍ପି ଦିଲ୍ଲୀପ ତ୍ରିପାଠୀ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅଭିଯୁକ୍ତମାନେ ଏଭଳି ଏକାଧିକ ଠକେଇ କରିଛନ୍ତି। ଜଣେ ମୋହରିରଙ୍କ ମଧ୍ୟ ଏହି ଠକେଇରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି। ଏହି ଠକେଇ ର଼୍ୟାକେଟରେ ସମ୍ପୃକ୍ତ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ସେ ସୂଚନା ଦେଇଛନ୍ତି।