ଆଜିଠାରୁ ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ : ନବନିର୍ବାଚିତ ବିଧାୟକ ମାନେ ନେଲେ ଶପଥ

ଆଜିଠାରୁ ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ ମାନେ ଶପଥ ନେଇଛନ୍ତି। ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।

ପ୍ରଥମେ ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେଇଥିଲେ । ଏହାପରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ସେହିପରି ବିଧାୟକ ଭାବେ ରବି ନାୟକ, ସୂର୍ଯ୍ୟବଂଶୀ ସୂରଜ, ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ ବି ଶପଥ ନେଇଛନ୍ତି।ଏଥର ବିଧାନସଭାକୁ ୮୨ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ନେତାମାନେ ବିଧାନସଭାକୁ ମୁଣ୍ଡିଆ ମରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।

ଏଥର ବହୁ ପୁରୁଣା ନେତାଙ୍କୁ ମିଳିଛି ନୂଆ ପରିଚୟ। ଚଳିତ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସନ ବଦଳି ଯାଇଛି। ଗତ ୫ଟି ପାଳିରେ ମୁଖ୍ୟମନ୍ତ୍ରୀ ଗାଦିରେ ବସୁଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ବିରୋଧୀ ଦଳ ଆସନରେ ବସିଛନ୍ତି। ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଶପଥ ନେଇଛନ୍ତି ।ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ଆସନ୍ତା ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ।

ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା।ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Articles

Back to top button