ଫେବୃୟାରୀରେ ଓଡ଼ିଶା ଜିଏସ୍ଟି ରାଜସ୍ୱରେ ୪୦ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଫେବୃୟାରୀରେ ରାଜ୍ୟ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ଓ ସମନ୍ବିତ ଜିଏସ୍ଟି ଫଇସଲା ବାବଦକୁ ଓଡ଼ିଶା ପାଇଥିବା ଜିଏସ୍ଟି ରାଜସ୍ୱରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଫେବୃୟାରୀରେ ୧୨୨୩.୨୨ କୋଟି ଟଙ୍କା ଜିଏସ୍ଟି ଆଦାୟ ହୋଇଥିବା ବେଳେ ଚଳିତବର୍ଷ ଫେବୃୟାରୀରେ ୧୭୧୨.୪୮କୋଟି ଟଙ୍କା ସଂଗୃହୀତ ହୋଇଛି। ସେହିପରି ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ସୁଦ୍ଧା ୧୨୭୭୯ କୋଟି ଟଙ୍କା ମୋଟ ରାଜ୍ୟ ଜିଏସ୍ଟି ସଂଗୃହୀତ ହୋଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ମୋଟ ରାଜ୍ୟ ଜିଏସ୍ଟି ସଂଗ୍ରହ ପରିମାଣ ଥିଲା ୧୧୩୯୧.୭୬ କୋଟି ଟଙ୍କା। ଏ କ୍ଷେତ୍ରରେ ୧୨.୧୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଫେବୃୟାରୀ ମାସର ସାମଗ୍ରିକ ଜିଏସ୍ଟ ସଂଗ୍ରହ କ୍ଷେତ୍ରରେ ମଧ୍ୟ ୧୦.୧୯ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଚଳିତ ବର୍ଷ ୪୫୧୯.୩୫ କୋଟି ଟଙ୍କାର ସାମଗ୍ରିକ ଜିଏସ୍ଟି ସଂଗୃହୀତ ହୋଇଥିବାବେଳେ ଗତବର୍ଷ ଫେବୃୟାରୀରେ ଏହି ପରିମାଣ ଥିଲା ୪୧୦୧୪.୪୯ କୋଟି ଟଙ୍କା। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଫେବୃୟାରୀରେ ହୋଇଥିବା ଜିଏସ୍ଟି ସଂଗ୍ରହ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ସଂଗ୍ରହ। ପେଟ୍ରୋଲ ଓ ମଦରୁ ସଂଗ୍ରହ କରାଯାଉଥିବା ଭାଟ୍ ରାଜସ୍ବ କ୍ଷେତ୍ରରେ ମଧ୍ୟ ୨୬.୩୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୨୨ ଫେବୃୟାରୀରେ ପେଟ୍ରୋଲ ଓ ମଦରୁ ୮୩୫.୫୨ କୋଟି ଟଙ୍କା ଭାଟ୍ ରାଜସ୍ବ ଆଦାୟ ହୋଇଥିବାବେଳେ ଚଳିତ ବର୍ଷ ଫେବୃୟାରୀରେ ୧୦୫୫.୨୭ କୋଟି ଟଙ୍କା ମିଳିଛି। ଅଧିକରୁ ଅଧିକ ଟିକସଦାତାଙ୍କୁ ଜିଏସ୍ଟି ପରିସରଭୁକ୍ତ କରିବା ପାଇଁ ଜିଏସ୍ଟି କମିଶନରେଟ୍ ତରଫରୁ ପ୍ରୟାସ ଜାରି ରହିଛି। ଚଳିତ ଆର୍ଥିକ ବର୍ଷ ଫେବୃୟାରୀ ସୁଦ୍ଧା ୪୬୦୯୦ ଜଣ ଟିକସଦାତା ଜିଏସ୍ଟି ପରିସରଭୁକ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଇ-ୱେବିଲ୍ ନିର୍ଗମନ କ୍ଷେତ୍ରରେ ମଧ୍ୟ ୨୦.୭୨ ପ୍ରତିଶତ ଅଭିବୃଦ୍ଧି ଘଟିଛି।