ଗତ ୩ ବର୍ଷରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ରାଜ୍ୟରେ ୪୨୫ ଲୋକଙ୍କ ଯାଇଛି ଜୀବନ,୧୦୧୩ ଜଣ ଆହତ

ଭୁବନେଶ୍ବର  : ରାଜ୍ୟରେ ଗତ ୩ ବର୍ଷରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୪୨୫ ଲୋକଙ୍କ ଜୀବନ ଯାଇଥିବାବେଳେ ୧୦୧୩ ଜଣ ଆହତ ହୋଇଛନ୍ତି। ଅନ୍ୟ ପକ୍ଷରେ ଏହି ସମୟ ମଧ୍ୟରେ ଶିକାରୀଙ୍କ ଯୋଗୁଁ ୫୨୯ ବନ୍ୟଜନ୍ତୁ ପ୍ରାଣ ହରାଇଛନ୍ତି। ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୧୬୧୭ ଶିକାରୀ ଗିରଫ ହୋଇଛନ୍ତି।
ଜଙ୍ଗଲ ଅବକ୍ଷୟ ତଥା ମଣିଷ ବନ୍ୟଜନ୍ତୁଙ୍କ ଅଞ୍ଚଳରେ ପ୍ରବେଶ କରିବା ଯୋଗୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହେଉଛି। ବେଳେବେଳେ ଜଙ୍ଗଲ ଛାଡି ଜନବସତି ଅଞ୍ଚଳକୁ ବନ୍ୟଜନ୍ତୁ ପ୍ରବେଶ କରି ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି। ୨୦୧୯-୨୦ ଠାରୁ ୨୦୨୧-୨୨ ମଧ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ଢେଙ୍କାନାଳ ଜିଲାରେ ସର୍ବାଧିକ ୭୭ ଲୋକଙ୍କ ଜୀବନ ଯାଇଛି। ତା ତଳକୁ ଅନୁଗୋଳ ରହିଛି। ସେଠାରେ ୫୩ ଜଣ ବନ୍ୟଜନ୍ତୁଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ ଜିଲାରେ ୫୨ ଜଣ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଥିବାବେଳେ କେନ୍ଦୁଝରରେ ୩୪, ମୟୂରଭଞ୍ଜରେ ୩୭, ସମ୍ବଲପୁରରେ ୩୮ ଲୋକ ପ୍ରାଣ ହରାଇଛନ୍ତି। ଗଜପତି ଓ ଜଗତସିଂହପୁର ଜିଲାକୁ ବାଦ ଦେଲେ ଅବଶିଷ୍ଟ ଅନ୍ୟାନ୍ୟ ଜିଲାରେ ବନ୍ୟଜନ୍ତୁ ଆକ୍ରମଣରେ କିଛି ଲୋକ ପ୍ରାଣ ହରାଇଛନ୍ତି। ସେହିପରି ବନ୍ୟଜନ୍ତୁଙ୍କ ଆକ୍ରମଣରେ ବହୁ ଲୋକ ଆହତ ହୋଇଛନ୍ତି। କେନ୍ଦୁଝର ଜିଲାରେ ସର୍ବାଧିକ ୧୭୯ ଲୋକ ବନ୍ୟଜନ୍ତୁଙ୍କ ଆକ୍ରମଣରେ ଆହତ ହୋଇଥିବାବେଳେ ତା ତଳକୁ ରହିଛି ଅନୁଗୋଳ। ସେଠାରେ ୧୧୬ ଜଣ ଆହତ ହୋଇଥିଲେ। ଢ଼େଙ୍କାନାଳରେ ୯୪ ଜଣ ବନ୍ୟଜନ୍ତୁ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବାବେଳେ ମୟୂରଭଞ୍ଜରେ ୫୯, ଖୋର୍ଦ୍ଧାରେ ୫୦, ନୂଆପଡାରେ ୪୯, ଦେବଗଡ ଓ ସମ୍ବଲପୁରରେ ୪୬ ଲେଖାଏଁ ଲୋକ ଆହତ ହୋଇଛନ୍ତି। ଜଗତସିଂହପୁର ଓ ଝାରସୁଗୁଡାକୁ ଛାଡିଦେଲେ ଅନ୍ୟାନ୍ୟ ଜିଲାରୁ ଲୋକେ ବନ୍ୟଜନ୍ତୁ ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଗତ ୩ ବର୍ଷରେ କୌଣସି ବାଘର ମୃତ୍ୟୁ ହୋଇନାହିଁ। ଏହି ସମୟ ମଧ୍ୟରେ ୧୫୯୨ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଥିବାବେଳେ ସେଥିରୁ ୨୪୫ଟି ହାତୀ ରହିଛି। ବିଭିନ୍ନ କାରଣରୁ ଏସବୁ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିଥିବା ବେଳେ ତନ୍ମଧ୍ୟରୁ ୫୨୯ଟି ବନ୍ୟଜନ୍ତୁ ଶିକାରୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସେଥିରୁ ୬ଟି ହାତୀ ଥିବାବେଳେ ଅବଶିଷ୍ଟ ଅନ୍ୟାନ୍ୟ ବନ୍ୟଜନ୍ତୁ ରହିଛନ୍ତି। ଶିକାରୀଙ୍କ ଆକ୍ରମଣରେ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବନ୍ୟଜନ୍ତୁଙ୍କୁ ଶିକାର ଅଭିଯୋଗରେ ୧୬୧୭ ଶିକାରୀଙ୍କୁ ଗିରଫ କରାଯାଇଛି। ଶିକାରୀ ଗିରଫ ଘଟଣାରେ ଅନୁଗୋଳ ଜିଲା ସର୍ବାଗ୍ରେ ରହିଛି। ସେଠାରେ ୨୯୫ ଶିକାରୀଙ୍କୁ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଗିରଫ କରାଯାଇଛି। ତା ତଳକୁ ରହିଛି ମୟୂରଭଞ୍ଜ। ସେଠାରେ ୧୯୬ ଶିକାରୀ ଗିରଫ ହୋଇଛନ୍ତି। ସେହିପରି ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଦେବଗଡରେ ୧୩୬ ଲୋକ ଗିରଫ ହୋଇଥିବାବେଳେ ଢ଼େଙ୍କାନାଳରେ ୯୭, ସମ୍ବଲପୁରରେ ୯୨, ଖୋର୍ଦ୍ଧାରେ ୮୨, ଗଞ୍ଜାମ ଓ କେନ୍ଦ୍ରାପଡାରେ ୮୦ ଲେଖାଏଁ ଗିରଫ ହୋଇଛନ୍ତି। ଭଦ୍ରକ, ଜଗତସିଂହପୁର ଓ ପୁରୀଙ୍କୁ ବାଦ ଦେଲେ ଅନ୍ୟ ସବୁ ଜିଲାରେ ବହୁ ସଂଖ୍ୟାରେ ଶିକାରୀ ବନ୍ୟଜନ୍ତୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସୂତ୍ରରୁ ଜଣାପଡିଛି।

Related Articles

Back to top button