ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣା: ଆଜି ପୁଣି ୫ଜଣ ବାଉନ୍ସରଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ
ଭୁବନେଶ୍ବର: ୧୦ କୋଟି ଟଙ୍କାର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ କମିଶନରେଟ୍ ପୁଲିସ ଆକ୍ସନ ମୋଡ଼ ଦେଖାଇଛି। ଏହି ଘଟଣାରେ ନୟାପଲ୍ଲୀ ଥାନା ପୁଲିସ ଅନ୍ୟ ୫ଜଣ ବାଉନ୍ସରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବିଶୋଇ, ପ୍ରଭାତ ସାହୁ, ଲତିଫ ଖାନ, ଫିରୋଜ ଖାଁ ଓ ଏସ୍.କେ.ମୁସ୍ତାଖିମ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଘର ଖୋର୍ଦ୍ଧା ଓ ୨ ଜଣଙ୍କ ଘର ଜଟଣୀ ହୋଇଥିଲା ବେଳେ ଅନ୍ୟ ଜଣଙ୍କ ଘର ଭୁବନେଶ୍ୱରରେ। ଏହି ଘଟଣାରେ ବ୍ୟବହୃତ ୨ଟି ଜେସିବି ଜବତ ହୋଇଛି।
ପୁଲିସ ଅନୁଯାୟୀ, ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ୩ଟି ସ୍ପେଶାଲ ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ଉ ଚଳାଇଥିଲେ। ପୁଲିସ ପୂର୍ବରୁ ୧୨ ଜଣ ଜମି ପୋଜେସନ ମାଫିଆଙ୍କୁ ବାନ୍ଧିଥିଲା। ଏଥିରେ ୨ ଲେଡି ଡନଙ୍କୁ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା। ହୋଟେଲ୍ ‘ପ୍ରେସିଡେନ୍ସି’ ପଛରେ ଏକ ବିବାଦୀୟ ଜମିକୁ ପୋଜେସନ ନେଉଥିଲେ। ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ। ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ। ବୁଲଡୋଜର ଲଗାଇ ଜମିରେ ଥିବା ମାର୍ବଲ ଓ ପ୍ଲାଏଉଡ଼ ଦୋକାନ ଭାଙ୍ଗିଥିଲେ ଗୁଣ୍ଡା। ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ଏବେ ବି ଫେରାର। ସେପଟେ ଜମି ପାଇଁ ବଟି ଦେଇଥିବା ରଞ୍ଜିତ ଯାଜପୁରିଆଙ୍କ ୫ ଆକାଉଣ୍ଟକୁ ଫ୍ରିଜ କରିଛି ପୁଲିସ। ଘଟଣାରେ ବ୍ୟବହୃତ ୨ ଜେସିବି ମଧ୍ୟ ଜବତ ହୋଇଛି।