ଜଗତ୍‌ସିଂହପୁର ଜିଲା ଓଚିନ୍ଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ବାଲିକୁଦା: ରାଜ୍ୟ ସରକାର ଦୁର୍ନୀତି ରୋକିବାକୁ ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏ ସବୁକୁ ପାଦରେ ଦଳିମକଚି ଦେଉଛନ୍ତି କିଛି ସରକାରୀ କମର୍ଚାରୀ। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁନାହିଁ। ଏଭଳି ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ମାଛଗଁା ପଞ୍ଚାୟତର ଓଚିନ୍ଦା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଏହି ବିଦ୍ୟାଳୟ ୫-ଟିର ଅନ୍ତର୍ଭୁକ୍ତ। ତେଣୁ ସରକାର ଏହି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ଅର୍ଥ ପ୍ରଦାନ କରିଛନ୍ତି ସେଥିରୁ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ମାଛଗଁା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସଞ୍ଜୟ ପାଳ। ବିଦ୍ୟାଳୟ ନିର୍ମାଣ କାମରେ ଦୁର୍ନୀତି ହେଉଥିବା ନେଇ ପାଳ ଗତ ଜାନୁୟାରୀରୁ ଲଗାତର ଅଭିଯୋଗ କରିଆସୁଛନ୍ତି। ବିଭିନ୍ନ ଦଫାରେ ଉକ୍ତ ବିଦ୍ୟାଳୟ ଶ୍ରେଣୀଗୃହର ଉନ୍ନତୀକରଣ, ବାଉଣ୍ଡାରି, ଖେଳପଡ଼ିଆ ଆଦି କାର୍ଯ୍ୟକୁ ବ୍ଲକର ବିଭାଗୀୟ ଅଧିକାରୀ ଚଞ୍ଚକତା କରି କରୁଛନ୍ତି। ଏମିତି କି କାମର କୌଣସି ସୂଚନାଫଳକ ଲଗାଯାଉନାହିଁ। ସୂଚନା ଅଧିକାର ଆଇନ ବଳରେ ପାଳ ତଥ୍ୟ ମାଗିଥିଲେ ମଧ୍ୟ ତାଙ୍କୁ ବ୍ଲକ ପ୍ରଶାସନ ଦେଉନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଶ୍ରେଣୀଗୃହ ଉନ୍ନତୀକରଣ ନାମରେ ପୁରୁଣା କାନ୍ଥରେ ରଙ୍ଗ ମାରି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ ହୋଇଥିବା ପାଳ ଅଭିଯୋଗରେ ଦର୍ଶାଇଛନ୍ତି। ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ୧୫ ଏସ୍‌ଏଫ୍‌ସି ଓ ସିଏଫ୍‌ସି ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ସେ ମଙ୍ଗଳବାର ବାଲିକୁଦା ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବିଦ୍ୟାଳୟକୁ ଆସୁଥିବା ଅନୁଦାନ ସମ୍ପର୍କରେ ମାଗିଥିବା ସବିଶେଷ ତଥ୍ୟ ପ୍ରଦାନ କରିବା ସହ ଦୁର୍ନୀତିକୁ ତୁରନ୍ତ ରୋକିବା ପାଇଁ ଦାବି କରିଛନ୍ତି। ୧୫ ଦିନ ଭିତରେ ବ୍ଲକ ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବାଧ୍ୟହୋଇ ପଞ୍ଚାୟତ ସମିତି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଜିତେନ୍ଦ୍ର ନାୟକଙ୍କୁ ପଚାରିବାରେ ଅଭିଯୋଗ ପାଇଛି। ୨୦ଦିନ ହେବ ଏଠାରେ ନିଯୁକ୍ତି ପାଇଛି। ଘଟଣାର ତଦନ୍ତ କରାଯିବ। ଯଦି ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିବ ତାହା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Related Articles

Back to top button