ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଏକ ଟ୍ରମା ସେଣ୍ଟର୍
କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ଟ୍ରମା ସେଣ୍ଟର୍ ପ୍ରତିଷ୍ଠା ହେବ। ଏହାଦ୍ବାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ମିଳିପାରିବ। ସୋମବାର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଟ୍ରମା ସେଣ୍ଟର୍ଟି କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ରେ କାର୍ଯ୍ୟକାରୀ କରାଯିବ।ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବାକୁ ଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ। କଟକ ଏସ୍ସିବିରେ ଏହି ଟ୍ରମା ସେଣ୍ଟର୍ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୪ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବା ପରେ ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି। ଏହା ପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ।