
ରାଜ୍ୟରେ ୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତ ହେବେ
ଭୁବନେଶ୍ୱର: ରାଜ୍ୟରେ ୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକ୍ରମେ ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲର ପଦବୀ ପୂରଣ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବି ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତିକୁ ଅନୁମୋଦନ କରିଥିବା ବେଳେ ଏ ନେଇ ସୋସିଆଲ ମିଡିଆରେ ୫ଟି ସଚିବ ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି। ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ରୂପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମତରେ ଶିକ୍ଷା ଦ୍ୱାରା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ। ଶିକ୍ଷା ଜାତିର ଏକ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖେ। ତେଣୁ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ସାରିବା ପରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ସାଢ଼େ ସାତ ହଜାର ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି।