
ନିଯୁକ୍ତି ମେଳାରେ ୩୭୬ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ ୩୭୬ ଜଣ ନିଯୁକ୍ତି ପାଇଛନ୍ତି। ଏଥିରେ ସ୍ବାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ଚିକିତ୍ସକ ଓ ୨୩୯ ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ୫୨ ଜଣ ଅଧ୍ୟାପକ ଅଛନ୍ତି। ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ବ ନକରି ନିଜ ନିଜର କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶୟ ନଦେବାକୁ ସେ ପରାମର୍ଶ ଦେଇଥିଲେ।
ସେ କହିଥିଲେ ଯେ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡିଶା ଯେତେ ପାରଦର୍ଶୀତା ହାସଲ କରିବା କଥା, କରିପାରି ନାହିଁ। ଆମେ ଆମର ପ୍ରକୃତ ସାମର୍ଥ୍ୟ ହାସଲ କରି ପାରିନାହୁଁ। ନୀତି ଆୟୋଗ ଦ୍ବାରା ସଦ୍ୟ ପ୍ରକାଶିତ ସ୍ବାସ୍ଥ୍ୟ Ranking ରେ ଓଡିଶା ୨୮ ଟି ରାଜ୍ୟ ମଧ୍ୟରେ ତଳଆଡୁ ତୃତୀୟ। ଶହେ ନମ୍ବରରୁ ଓଡିଶା ପାଇଛି ମାତ୍ର ୪୦.୧୯। କିନ୍ତୁ ପୂର୍ବରୁ ବିଶ୍ବ ସ୍ତରୀୟ ସ୍ବାସ୍ଥ୍ୟ ସେବା ନାମରେ ବ୍ୟାପକ ପ୍ରଚାର କରାଯାଉଥିଲା। ବର୍ତ୍ତମାନ ଏ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, Health Ranking ରେ ଆମକୁ ଅତି କମ୍ରେ ୬୦ ନମ୍ବର ରଖିବାକୁ ପଡିବ। ଦେଶର ପ୍ରଥମ ଦଶଟି ଶ୍ରଷ୍ଠ ସେବା ପ୍ରଦାନକାରୀ ରାଜ୍ୟ ମଧ୍ୟରେ ରହିବାକୁ ପଡିବ। ଏ ଦିଗରେ ସରକାରଙ୍କ ଆଭିମୁଖ୍ୟରେ ନବ ନିଯୁକ୍ତ ମାନଙ୍କୁ ସହଯୋଗ କରିବା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ଓ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏ ଉଭୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ଏହା ସରକାରଙ୍କ ଭିଜନର ଏକ ଅଂଶ ବିଶେଷ ବୋଲି ସେ କହିଥିଲେ। ଚଳିତ ବର୍ଷ ସ୍ବାସ୍ଥ୍ୟ ବଜେଟ୍ରେ ପୂର୍ବ ବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ ବ୍ୟୟ ବରାଦ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହାର ସିଂହଭାଗ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ। ଆଗାମୀ ପାଞ୍ଚବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ। ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆ ସରକାର ରାଜ୍ୟର ସରକାରୀ କ୍ଷେତ୍ରରେ ଖାଲି ପଦବୀ ପୂରଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଗତ ଛଅ ମାସ ମଧ୍ୟରେ ଛଅ ଥର ନିଯୁକ୍ତି ମେଳା ହୋଇ ୨୦ ହଜାରରୁ ଅଧିକ ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନିଆଯାଉଛି ବୋଲି ସେ କହିଥିଲେ।ସ୍ବାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ଚିକିତ୍ସକ ଓ ରେଡିଓଗ୍ରାଫର ନିଯୁକ୍ତି ସହିତ ଖୁବଶୀଘ୍ର ସରକାରୀ ଡାକ୍ତରଖାନା ମାନଙ୍କରେ ‘ଫାର୍ମାସୀ ଅଫିସର’ ନିଯୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ଆୟୁଷ ମିଶନରେ ଓଡିଶାରେ ୪୨୨ଟି ହୋମିଓପାଥି ଓ ଆୟୁର୍ବେଦିକ୍ ଡାକ୍ତରଖାନର ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଭାବରେ ଉନ୍ନତି କରଣ କରାଯାଇଛି। ସେ କହିଥିଲେ ଯେ, ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ଆଉ ତିନୋଟି ୫୦ ଶର୍ଯ୍ୟା ବିଶିଷ୍ଟ ସମନ୍ବିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି।