ହୀରାକୁଦ ଜଳ ଭଣ୍ଡାରର ନବକଳେବର ପାଇଁ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ

ଦେଶର ସର୍ବବୃହତ ହୀରାକୁଦ ଜଳ ଭଣ୍ଡାରର ହେବ ନବକଳେବର । ଏଥିପାଇଁ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ୪ ବର୍ଷରେ ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ କେନାଲ୍‌ ପଦ୍ଧତିରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି ।

୧୯୫୭ ମସିହାରେ ମହାନଦୀ ତଟରେ ନିର୍ମିତ ହୋଇଥିବା ବୃହତ ସବୁଠୁ ବଡ଼ ମାଟି ନଦୀ ବନ୍ଧ ହୀରାକୁଦର ସିମେଣ୍ଟ ଲାଇନିଂ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ୮୫୫ କୋଟି ଟଙ୍କା ବ୍ୟୟରେ ନବୀକରଣ କରାଯିବ । ୨୦୨୪-୨୫ରୁ ୨୦୨୭-୨୮ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ କରାଯିବ । ନବୀକରଣ ଯୋଜନାରେ ଜଳପଥଗୁଡ଼ିକୁ ମାଇନର, ସବମାଇନର ଭାବରେ ପୁନଃ ନାମିତ କରାଯିବ। ଏଥି ସହ ମାଟିରେ ନିର୍ମିତ ହୋଇଥିବା ଜଳପଥଗୁଡ଼ିକରେ ସିମେଣ୍ଟ କଂକ୍ରିଟ ଲାଇନିଂ କରି ଜଳ ପରିଚାଳନା ସ୍ଥିରତା ସୁନିଶ୍ଚିତ କରାଯିବ ।କେନାଲର ଜଳସେଚନ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହ ବଣ୍ଟନ ବ୍ୟବସ୍ଥାରେ ଜଳ କ୍ଷତିକୁ ହ୍ରାସ କରି ତଳ ମୁଣ୍ଡରେ ପାଣି ଉପଲବ୍ଧତା ବୃଦ୍ଧି କରାଯିବ। ବରଗଡ଼ ମୁଖ୍ୟ କେନାଲ୍, ଶାସନ ମୁଖ୍ୟ କେନାଲ ଓ ଅନ୍ୟାନ୍ୟ ଡିଷ୍ଟ୍ରିବ୍ୟୁଟାରୀରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ ଓ ଆଉଟଲେଟର ନବୀକରଣ କରାଯିବ । ଦକ୍ଷିଣ ଓ ସ୍ପିଲୱେ ଫାଉଣ୍ଡେସନ୍ ଗ୍ୟାଲେରୀର ମରାମତି ଓ ନବୀକରଣ ସହିତ ଏହାର ସଂଲଗ୍ନ ହୀରାକୁଦ ଡ୍ୟାମର ଛୋଟ କୁଦର ପୁନଃ ସଂଯୋଜନ କରାଯିବ ।

Related Articles

Back to top button