ସୁନ୍ଦରଗଡ଼ରୁ ପୁଣି ସ୍କ୍ରବ ଟାଇଫସରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ସାରା ରାଜ୍ୟରେ ବର୍ତ୍ତମାନ ‘ସ୍କ୍ରବ ଟାଇଫସ’କୁ ନେଇ ଆତଙ୍କ ବ୍ୟାପିବାରେ ଲାଗିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ଏହି ଭାଇରସର ଏକ ହବ୍ ପାଲଟିଯାଇଛି । ପ୍ରତିଦିନର ପଜିଟିଭ ସଂଖ୍ୟା ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି । ସୁନ୍ଦରଗଡ଼ରୁ ପୁଣି ଏହି ଭାଇରସରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ୧୦ଟି ରକ୍ତନମୁନା ପରୀକ୍ଷା ହେବା ପରେ ସେଥିରୁ ୯ ଜଣଙ୍କଠାରେ ସ୍କ୍ରବ୍ ଟାଇଫସ୍‌ ରୋଗ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ସୁନ୍ଦରଗଡରେ ଏହା ବର୍ତ୍ତମାନ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି ।

ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୫୧ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ଏଥିରେ ୧୦ ରୋଗୀ ସ୍କ୍ରବ୍‌ ଟାଇଫସରେ ପଜିଟିଭ୍ ରହିଥିଲେ । ତେବେ ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରେ ପହଞ୍ଚିଛି । ସେହିପରି ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଜିଲ୍ଲାର ସଦର ବ୍ଲକ୍‌ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି ।

ତେବେ ବର୍ତ୍ତମାନ ଏହି ନୂଆ ଭାଇରସକୁ ନେଇ ଜିଲ୍ଲାବାସୀଙ୍କ ମନରେ ଆତଙ୍କ ଦେଖା ଦେଇଛି । ଅନ୍ୟପକ୍ଷରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଥିବା ଭାରାପ୍ରାପ୍ତ ସିଡିଏମଓ ଡ. କାହ୍ନୁଚରଣ ନାୟକ ସୂଚନା ଦେଇଛନ୍ତି ।

Related Articles

Back to top button