ଦୁର୍ଗା ପୂଜାରେ ଆସୁଛି ବଡ ଘୂର୍ଣ୍ଣିବଳୟ !

ମା ଦୁର୍ଗାଙ୍କ ଆଗମନ ପାଇଁ ଆଉ କିଛି ଦିନ ବାକି ଅଛି । ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ୯ ଦିନ ମାତା ଦେବୀଙ୍କୁ ପୂଜା କରାଯିବ । କିନ୍ତୁ ଏଥର ପୂଜା ବର୍ଷାରେ ଭିଜିବାର ସମ୍ଭାବନା ରହିଛି । ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ଅଧିକ ଅପଡେଟ୍‌ ଦିଆଯିବ। ପୂଜାକୁ ଆହୁରି କିଛି ଦିନ ସମୟ ଥିବାରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପରବର୍ତ୍ତୀ ସମୟରେ ପାଣିପାଗ ବିଭାଗ ବିସ୍ତୃତ ସୂଚନା ଦେବ।

ଅନ୍ୟପଟେ ତାତିରେ କଲବଲ ହେଉଛି ସାରା ଓଡିଶା । ରାତିରେ କାକର ବଦଳରେ ନିଆଁ ବରଷିଲା ଭଳି ଲାଗୁଛି, ଗୁଳୁଗୁଳି କଥା ତ ନ କହିଲେ ଭଲ । ଉତ୍ତରା ପବନ ହେଉ ନ ଥିବାରୁ ଦିନର ତାପମାତ୍ରା ୩୬ ଡିଗ୍ରି ରହୁଥିଲେ ମଧ୍ୟ ୪୩ ଡିଗ୍ରି ପରି ଅନୁଭୂତ ହେଉଛି। ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସାଙ୍ଗକୁ ଆର୍ଦ୍ରତା ଅଧିକ ରହୁଥିବାରୁ ସକାଳ ୧୦ଟାରେ ଘରୁ ପଦାକୁ ବାହାରିବା ସମୟରେ ଲୋକଙ୍କୁ ଦୁଇ ଥର ଚିନ୍ତା କରିବାକୁ ପଡ଼ୁଛି । ମଧ୍ୟାହ୍ନ ସମୟରେ ଭୁବନେଶ୍ବର, କଟକ, ଚାନ୍ଦବାଲି, ବାଲେଶ୍ବର, ପାରାଦୀପ, ଗୋପାଳପୁର ପରି ଉପକୂଳ ଓଡ଼ିଶାର ସହର ଅବସ୍ଥା ନ କହିବା ଭଲ । ଏହାରି ଭିତରେ ଚିନ୍ତା ବଢ଼ାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷା କିମ୍ବା ପବନ ହେବାର ସମ୍ଭାବନା ଆଦୌ ନାହିଁ। ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବା କଥା ହେଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ସ୍ଥାନରେ ବର୍ଷା ହୋଇନାହିଁ।

ସ୍ବାଭାବିକ ତାପମାତ୍ରା ୩ ଡିଗ୍ରି ଅଧିକ ରହିଛି। ଆଜି ଭୁବନେଶ୍ବରର ତାପମାତ୍ରା ସ୍ବାଭାବିକଠାରୁ ୨.୯ ଡିଗ୍ରି ଅଧିକ ରହିଥିଲା। ଆସନ୍ତା ୫ ଦିନ ଯାଏ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଜି ଦିନ ସମୟରେ ୨୧ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ବେଳେ ୭ଟିର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ଡେଇଁଯାଇଛି। ଚାନ୍ଦବାଲିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରିରେ ପହଞ୍ଚିଛି। ବାଲେଶ୍ବରରେ ୩୬.୬ ଡିଗ୍ରି ରହିଥିବା ବେଳେ ପାରାଦୀପରେ ୩୬.୫, ଗୋପାଳପୁରରେ ୩୬.୨, ଅନୁଗୁଳରେ ୩୬.୧, ନୟାଗଡ଼ରେ ୩୬, ବୌଦ୍ଧରେ ୩୬ ଡିଗ୍ରି ରହିଥିଲା। କୋରାପୁଟ ଓ ଦାରିଙ୍ଗବାଡ଼ି ବ୍ୟତୀତ ଅନ୍ୟାନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ୨୦ ଡିଗ୍ରି ଉପରେ ରହିଥିବା ଶ୍ରୀ ବିଶ୍ବାସ କହିଛନ୍ତି ।

Related Articles

Back to top button