ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀର ବିକ୍ରି ପାଇଁ ପ୍ରତିଷ୍ଠା ହେବ ହସ୍ତତନ୍ତ ମଲ୍‌

ସୋନପୁର: ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ପାଇଁ ଖୁସି ଖବର। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀର ବିକ୍ରି ବଟା ପାଇଁ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱ ସୋନପୁର ସହର ଉପକଣ୍ଠ ଝିଙ୍କିଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରେ ପ୍ରତିଷ୍ଠା ହେବ ହସ୍ତତନ୍ତ ମଲ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ହସ୍ତ ତନ୍ତ ମଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଜିଲା ଓସୱାନ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲାପାଳ ଅବୋଲୀ ସୁନିଲ ନରୱଣେ,ଜିଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲା ପରିଷଦ ନିହାର ରଞ୍ଜନ କଁହର, ପୌରପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ଉପଜିଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ କୋଠା ବାଡ଼ି ଦାମୋଦର କୈବର୍ତ୍ତ, ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ଚତୁର୍ଭୁଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ I ପରେ ସୁବର୍ଣ୍ଣପୁର ଜିଲାପାଳ ଶ୍ରୀମତୀ ନରୱଣେ ଏକ ଖବରଦାତା ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲାପାଳ କହିଥିଲେ ଯେ, ସୁବର୍ଣ୍ଣପୁର ଜିଲା ହସ୍ତତନ୍ତ ଓ ହସ୍ତ ଶିଳ୍ପ କାରୁକାର୍ଯ୍ୟ ପାଇଁ ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି l

ବୁଣାକାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ରର ବହୁଳ ବିକ୍ରୟ ତଥା ସେମାନଙ୍କ ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟରେ ୬ କୋଟି ୪୫ ଲକ୍ଷ ବ୍ୟୟରେ ହସ୍ତ ତନ୍ତ ମଲ୍‌ ନିର୍ମାଣ ହେବ। ଆସନ୍ତା ୨ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସରିବ l ସେହିପରି ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ଅର୍ଥ ମଞ୍ଜୁର ହୋଇଛି l ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ପରିଷଦ ତରଫରୁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି ା ହସ୍ତତନ୍ତ୍ର ମଲ୍‌ ପାର୍ଶ୍ୱରେ ମିଶନ ଶକ୍ତି ଦ୍ୱାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ କଫେଟେରିଆର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଦିଆଯାଇଛି।

ସେହିପରି ଡୁଙ୍ଗୁରିପାଲି ବ୍ଲକର ରାମପୁରଠାରେ ବିଜୁ ଗ୍ରାମୀଣ ବଜାର ପାଇଁ ୫୫ ଲକ୍ଷ ଟଙ୍କା, ରାମପୁର ଷ୍ଟାଡିୟମ ନିର୍ମାଣ ପାଇଁ ୨୫ ଲକ୍ଷ, ସୋନପୁର ବ୍ଲକ ବିଶେଶ୍ୱରପାଲିରେ ଅନାଥ ଆଶ୍ରମର ଶ୍ରେଣୀଗୃହ ନିର୍ମାଣ ପାଇଁ ୨୯ ଲକ୍ଷ ଟଙ୍କା, ବୀରମହାରାଜପୁର ନିକଟରେ ରାସ୍ତା ଆଲୋକୀକରଣ ପାଇଁ ୨୧ ଲକ୍ଷ ଟଙ୍କା ଓ ବସଷ୍ଟାଣ୍ଡ ନିକଟରେ ବଜାର ପ୍ରାଙ୍ଗଣ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଇଥିବା ଜିଲାପାଳ ସୂଚନା ଦେଇଥିଲେ।

Related Articles

Back to top button