
ମାର୍ଚ୍ଚ ୧୩ ଓ ୧୪ ତାରିଖ ଦୁଇଦିନ ପାଇଁ ହିଟୱେଭ୍ ନେଇ ସତର୍କ ସୂଚନା ଜାରି
ରାଜ୍ୟରେ ଡହ ଡହ ଖରା ସହ ତାତି କଲବଲ କରୁଛି। ଗତ ୩ ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ସୋମବାରଠାରୁ ପୁଣି ତାତି ବଢ଼ିଛି। ତାତି ବଢୁଥିବା ବେଳେ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ମାର୍ଚ୍ଚ ୧୩ ଓ ୧୪ ତାରିଖ ଦୁଇଦିନ ପାଇଁ ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ପଶ୍ଚିମ ଓଡ଼ିଶା ତାତିର ତାଉରେ ଜଳିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନମାନ କରାଯାଇଛି।ଏହା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।
ରାଜ୍ୟର ୬ ଟି ଜିଲ୍ଲା ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡା ବଲାଙ୍ଗୀର,ବୌଦ୍ଧ ଓ ସୋନପୁରକୁ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଏସବୁ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।