
ବିରୋଧ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ଚେତାବନୀ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ
ବିଧାନସଭାରେ ବାଚସ୍ପତିଙ୍କ ଚେତାବନୀ । ଗୃହକାର୍ଯ୍ୟକୁ ସମ୍ମାନ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିରୋଧ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ଚେତାବନୀ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନାହିଁ । ଗୃହରେ ହଟ୍ଟଗୋଳ ସହିତ ବିରୋଧୀ ବିଜେଡି କଂଗ୍ରେସ ନାରାବାଜି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଚେତାବନୀ ଦେଇଛନ୍ତି । ଦୁଇ ଦିନ ହେଲା ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରୁନାହିଁ ।
ସୂଚନାଯୋଗ୍ୟ ଗତକାଲି ପରି ଆଜି ବି ଗୃହ ଆରମ୍ଭରୁ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟଗୋଳ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ବାଚସ୍ପତି ସୁରମା ପାଢୀ ଗୃହକାର୍ଯ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ମିସନ ଶକ୍ତି ମହିଳାଙ୍କ ଦାବି ପୂରଣ କରିବା ପାଇଁ ବିଜେପି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ବିଜେଡ଼ି ପକ୍ଷରୁ କୁହାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ନିକଟରେ ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାଜ୍ୟର ମହିଳାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସ୍ଲୋଗାନ ଦେଇଥିଲେ। ସେହିପରି ମିଶନଶକ୍ତିକୁ ଗୈରିକରଣ କରିବା ବନ୍ଦ କର, ମହିଳାଙ୍କୁ ନ୍ୟାୟ ଦେବା ଦାବି ନେଇ, ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ପୋଡିୟମ ନିକଟରେ ନାରାବାଜି କରିଥିବାର ଦେଖିବାକୁ ମିଳିଥିଲା ।