କାଲି ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଅଧିକ ଚିକିତ୍ସା ପାଇଁ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କାଲି ଦିଲ୍ଲୀ ନିଆଯିବ । ଦିଲ୍ଲୀର ଆଇଏସବିଏଲରେ ପିଣ୍ଟୁ ନନ୍ଦଙ୍କ ଅଧିକ ଚିିକିତ୍ସା କରାଯିବ । ଦିଲ୍ଲୀ ସ୍ଥାନାନ୍ତର ନେଇ ପିଣ୍ଟୁଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବେ ଯକୃତଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି, ଫଳରେ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଜରୁରୀ ଥିବା ଡାକ୍ତରମାନେ କହିଛନ୍ତି ।

ସୂଚନା ଅନୁସାରେ, ଲିଭର ସିରୋସିସ୍‌ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ଏଥିପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କା ଆବଶ୍ୟକ। ଯାହାକୁ ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ସହାୟତା ପାଇଁ ନିବେଦନ କରିଥିଲେ । ସେହି ଅନୁସାରେ ଓଲିଉଡ୍‌ କଳାକାର, ପିଣ୍ଟୁଙ୍କ ଫ୍ୟାନ୍‌ ଏବଂ ସାଧାରଣ ଜନତା ତାଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ସେଥିପାଇଁ ପିଣ୍ଟୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଏହା ଭିତରେ ତାଙ୍କର ଚିକିତ୍ସା ଭୁବନେଶ୍ୱର ସ୍ଥିତ କିମ୍ସ ହସପିଟାଲରେ ଚାଲିଥିଲା ।

ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି। ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି, ପ୍ରେମ ଋତୁ ଆସିଲା ‌ରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଆଦି। ତାଙ୍କ ଅଭିନୀତ ଆଲବମ୍ ଏ ଗଉରା… ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।

Related Articles

Back to top button