
ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ୧୦୦ଟି ଏମବିବିଏସ୍ ସିଟ୍ ରେ ହେବ ପାଠପଢ଼ା
କଳାହାଣ୍ଡି: କଳାହାଣ୍ଡି ମେଡିକାଲ କଲେଜରେ ଚଳିତବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ । କଳାହାଣ୍ଡି ମେଡିକାଲ କଲେଜରେ ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଏନଏମସି ପକ୍ଷରୁ ଅନୁମତି ଦିଆଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ବୁଧବାର ସୂଚନା ଦେଇଛି । ସୂଚନା ଅନୁସାରେ ଚଳିତବର୍ଷ ଅଗଷ୍ଟ-ସେପ୍ଟେମ୍ବର ନାମ ଲେଖା ଆରମ୍ଭ ହେବ।
ସୂଚନା ଯୋଗ୍ୟ, ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଗତ ଫେବୃଆରୀ ୧୪ରେ ଏନଏମସିଟିର ୩ ଜଣିଆ ଟିମ ମେଡିକାଲ କଲେଜ ପରିଦର୍ଶନ କରିଥିଲେ। କଲେଜ ପାଇଁ ଲାଇବ୍ରେରି, ଟିଚିଂ ହସ୍ପିଟାଲ ସମେତ ବିଭିନ୍ନ ଆବଶ୍ୟକତା ପୂରଣ ନିମନ୍ତେ ଏହି ଟିମ ରିପୋର୍ଟ ଦେଇଥିଲେ। ଅନ୍ୟପକ୍ଷରେ ମେଡିକାଲର ଅବଶିଷ୍ଟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଟାଟା ପକ୍ଷରୁ ପ୍ରାୟ ୨ ଶହ କୋଟି ବ୍ୟୟ ଅଟକଳରେ ମେଡିକାଲ କଲେଜ କ୍ୟାମ୍ପସ, ଏକାଡେମୀ ବିଲିଂ, ହଷ୍ଟେଲ, ଷ୍ଟାଫ କ୍ବାର୍ଟସ ନିର୍ମାଣ ହୋଇଛି। ସେହିଭଳି ପ୍ରାୟ ୨୦୬ କୋଟି ବ୍ୟୟରେ ଟିଚିଂ ହସ୍ପିଟାଲ ନିର୍ମାଣାଧୀନ କଲେଜ କ୍ୟାମ୍ପସରେ ତିଆରି କରାଯାଉଛି। ଖୁବ୍ଶୀଘ୍ର ଟାଟା କମ୍ପାନୀ ସାସ୍ଥ୍ୟ ବିଭାଗକୁ ମେଡିକାଲ କଲେଜ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।