ନୀଳଗିରିରେ ମଧ୍ୟାହ୍ନଭୋଜନ ଖାଇ ଜଣଙ୍କର ମୃତ୍ୟୁ, ୨୫ ଅନ୍ତେବାସୀ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ୱର: ଶନିବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ କନ୍ୟାଶ୍ରମର  ୨୫ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ଜିଲାର ନୀଳଗିରିରେ ଥିବା ଏକ କନ୍ୟାଶ୍ରମର ଜଣେ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ସୋରରେ ଥିବା କନ୍ୟାଶ୍ରମର ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି ।

ଏହି ପୁରୁବାଇ କନ୍ୟାଶ୍ରମ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଗାନ୍ଧୀ ସେବା ସଙ୍ଘ (ଜିଏସ୍ଏସ୍) ଦ୍ୱାରା ପରିଚାଳିତ। ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣେ ଅନ୍ତେବାସୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ଏଡିଏମ୍ଓ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ଏକ ଡାକ୍ତରୀ ଦଳ, ଡିସିପିଓ ସ୍ୱାଗତିକା ଦାସ କର, ସୋରୋ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସତ୍ୟନାରାୟଣ ନାୟକ, ବିଡିଓ କରୁଣାକର ଧିଣ୍ଡା ଓ ଖାଦ୍ୟ ସୁରକ୍ଷା ଅଧିକାରୀ (ଏଫଏସଓ) କନ୍ୟାଶ୍ରମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ଅନ୍ତେବାସୀଙ୍କ ଅସୁସ୍ଥତାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦୁଲାଲସେନ ଜଗଦ୍ଦେବ କହିଛନ୍ତି ଯେ, ସେମାନେ ଘଟଣାର ଅନୁଧ୍ୟାନ କରୁଛନ୍ତି ଏବଂ ରିପୋର୍ଟ ଆସିଲା ପରେ ଅସୁସ୍ଥତାର କାରଣ ଜଣାପଡ଼ିବ।

Related Articles

Back to top button