ନୂଆବର୍ଷରୁ ଓପାସରେ ଥିଲେ ମହାପ୍ରଭୁ ଲିଙ୍ଗରାଜ, ତିନିଦିନ ପରେ ଆରମ୍ଭ ହେଲା ନୀତିକାନ୍ତି
ଭୁବନେଶ୍ୱର : ତିନି ଦିନ ଓପାସରେ ରହିବା ପରେ ଆଜି ଆରମ୍ଭ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି । ଏହା ପରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି ।
ସୂଚନାଥାଉ କି, ନୂଆବର୍ଷ ଆରମ୍ଭରୁ ଓପାସରେ ଥିଲେ ପ୍ରଭୁ । ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୂଆବର୍ଷ ଠାରୁ ବନ୍ଦ ରହିଥିଲା ନୀତିକାନ୍ତି। ଏହି ବିବାଦ ଯୋଗୁ ଠାକୁରଙ୍କୁ ମଧ୍ୟ ଓପାସରେ ରହିବାକୁ ପଡ଼ିଥିଲା । ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶି ଯିବାରୁ ଭୋଗ ମାରାକୁ ନେଇ ବିବାଦ ଦେଖା ଦେଇଥିଲା ।
ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗର କହିବାନୁଯାୟୀ, ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା କଥା । କିନ୍ତୁ ତାହା କରାଯାଇନଥିଲା । ଭୋଗକୁ ଭକ୍ତଙ୍କୁ ବଣ୍ଟା ଯାଇଥିଲା ଓ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଘଟଣରେ ହସ୍ତକ୍ଷେପ କରିଥିଲେ । ବିବାଦର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱର ସର୍କିଟ ହାଉସ୍ ଠାରେ ବୈଠକ ଡକାଯାଇଥିଲା । ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି । ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଦେବା ପରେ ବିବାଦ ତୁଟିଥିଲା ଏବଂ ତା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା ।