
ଆସନ୍ତା ୨ ଦିନ ପରେ ପୁଣି ରାଜ୍ୟରେ ବଢିବ ଶୀତ
ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡି । ଆସନ୍ତା ୨ ଦିନ ପରେ ପୁଣି ବଢିବ ଶୀତ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଜାଡ ବଢିବ ।ବିଶେଷ କରି କଳାହାଣ୍ଡି, କନ୍ଧମାଳ, ଫୁଲବାଣୀ, ନବରଙ୍ଗପୁର, ନୂଆପଡା, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଭଳି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୁତ ହେବାର ସମ୍ଭାବନା ରହିଛି । ଶୀତ ସହ ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ୨୨ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ କାଲି ୧୨ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏହି ସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ରହିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବା ବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଛି । ଫଳରେ ଉଭୟ ଦିନ ଏବଂ ରାତ୍ରୀର ତାପମାତ୍ରା କମିବା ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ତେବେ ଦୁଇ ଦିନ ପରେ ଶୀତ ବଢିବା ସହ କୁହୁଡି କମିବ ବୋଲି ଆକଳନ କରାଯାଇଛି । ଘନ କୁହୁଡି ସମୟରେ ଗାଡ଼ି ଚାଳକମାନେ ସତର୍କତାର ସହ ଗାଡି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।