
ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହେଉଥିବା ବର୍ଷା କାରଣରୁ ଏବେ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳୁଛି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ପାଇଁ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କୁ ଝଡ ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି । ସାତ ଜିଲ୍ଲାକୁ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା, କେନ୍ଦୁଝର, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା ଦିଆଯାଇଛି । ସେହିପରି ୨୩ ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦୁଇ ଦିନ ପରେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବ । ଯାହା ଫଳରେ ରାଜ୍ୟକୁ ପୁଣି ତାତି ଫେରିବ । ଗତକାଲି ରାଜ୍ୟର ଅନେକ ସ୍ଥାନରରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ହେଉଥିବା ବଜ୍ରପାତ ଓ ଘଡଘଡି ପ୍ରଭାବରେ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଉଛି । ସେଥିପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।