ବିଧାନସଭାର ସପ୍ତଦଶ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ୨୫ ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ
ଆସନ୍ତା ସପ୍ତାହରେ ଆରମ୍ଭ ହେବ ବିଧାନସଭାର ସପ୍ତଦଶ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ଏହା ପୂର୍ବରୁ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ସହିତ ଆଲୋଚନା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀଙ୍କ ସୂଚନା ମୁତାବକ, ନଭେମ୍ବର ୨୬ ତାରିଖରୁ ଡିସେମ୍ବର ୩୧ ତାରିଖ ଯାଏଁ ବିଧାନସଭା ଗୃହ କାର୍ଯ୍ୟ ଚାଲିବ । ଏହା ପୂର୍ବରୁ ୨୫ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ବିଧାନସଭା ଗୃହ କାର୍ଯ୍ୟକୁ କିପରି ସୁରୁଖରେ ଚାଲିବ ସେ ନେଇ ଆଲୋଚନା କରାଯିବ । ଏହି ଅଧିବେଶନରେ ବିଭିନ୍ନ ବିଲ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ରାଜ୍ୟ ସରକାର ଅନ୍ତରୀଣ ବଜେଟ୍ ମଧ୍ୟ ଉପସ୍ଥାପନ କରିବେ । ଲୋକଙ୍କ ହିତ ଦୃଷ୍ଟିରୁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହା ସହିତ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଲାଗୁ କରାଯିବାକୁ ସରକାର ଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତା ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୧, ୮, ୧୫, ୨୨ ଏବଂ ୨୯ ରବିବାର ପଡ଼ୁଥିବାରୁ ଏହି ଦିନମାନଙ୍କରେ ଗୃହ କାର୍ଯ୍ୟ ବନ୍ଦ ରହିବ । ସେହିପରି ବଡ଼ ଦିନ ପାଇଁ ଡିସେମ୍ବର ୨୫ ମଧ୍ୟ ଛୁଟି ରହିବ । ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ।