କଟକରେ ଅପମିଶ୍ରିତ ଛେନା ବିକ୍ରି ଅଭିଯୋଗ, ସିଏମସି ଏବଂ ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଚଢଉ

କଟକ:  ନିଆଳି ଓ ଗୋବିନ୍ଦପୁର ଅଞ୍ଚଳରୁ କଟକକୁ ଆସୁଥିବା ଛେନାର ମାନକୁ ନେଇ ଅଭିଯୋଗ ହେବା ପରେ ସିଏମସି ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢଉ କରାଯାଇଛି । କଟକ ଲିଙ୍କରୋଡ ନିକଟରେ ଥିବା ଛେନା ବ୍ୟବସାୟ କେନ୍ଦ୍ରରେ ଚଢଉ କରାଯାଇ ନମୂନା ସଂଗ୍ରହ କରାଯାଇଛି ।

ଦୈନିକ ନିଆଳି ଓ ଗୋବିନ୍ଦପୁର ଅଞ୍ଚଳରୁ କଟକ ସହରକୁ ପ୍ରାୟ ଶହେ କ୍ବିଣ୍ଟାଲ ଛେନା ଆସିଥାଏ । ଏହି ଛେନା ସହର ଓ ଜିଲ୍ଲାର ବିଭିନ୍ନ ମିଠା ଦୋକାନକୁ ଯାଇଥାଏ । ଏହାଛଡା ଢେଙ୍କାନାଳ ଓ ଅନୁଗୁଳ ଭଳି ଜିଲ୍ଲାକୁ ମଧ୍ୟ ଏହି ଛେନା ଯାଇଥାଏ। ଛେନାର  ଯେଉଁ ନମୂନା ସଂଗ୍ରହ କରଯାଇଛି ସେଗୁଡିକୁ ଭୁବନେଶ୍ବର ସ୍ଥିତ ଲ୍ୟାବକୁ ପଠାଯିବ ଓ ରିପୋର୍ଟ ଆସିବା ପରେ ମାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ସିଏମସି ଅଧିକାରୀ କହିଛନ୍ତି  ।

ଅନ୍ୟପଟେ ଛେନାରେ କୌଣସି ଅପମିଶ୍ରଣ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି । ଦୀର୍ଘ ୩୦ ବର୍ଷର ବ୍ୟବସାୟ ମଧ୍ୟରେ କେବେ ବି ନିମ୍ନମାନର ଛେନା ବଜାରକୁ ବିକ୍ରି କରାଯାଇ ନାହିଁ ବୋଲି ବ୍ୟବସାୟୀମାନେ ଦୃଢତାର ସହ କହିଛନ୍ତି। ଲ୍ୟାବରେ ଟେଷ୍ଟ କରାଯିବା ପଦକ୍ଷେପକୁ ବ୍ୟବସାୟୀମାନେ ସ୍ବାଗତ କରିଛନ୍ତି।

Related Articles

Back to top button