ଚକ ଜମି ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ଵର: ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଚେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ ।

ପୂର୍ବରୁ ରହିଥିବା ଚକ ଜମି ବିଭାଜନ ଅବୈଧ ନିୟମ ରଦ୍ଦ କରାଯାଇଛି। ପୂର୍ବରୁ ଚକ ଜମିକୁ ବିଭାଜିତ କରି ବିକ୍ରି କଲେ ତାହା ଅବୈଧ ହେଉଥିଲା। ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା ୩୪ ଅନୁସାରେ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ତଥା ବିଭାଜନ ନିଷେଧ ଥିଲା । ଧାରା ୩୫ ଅନୁଯାୟୀ ଯଦି ଧାରା ୩୪ କୁ ଉଲଙ୍ଘନ କରି କୌଣସି ଜମି ବିକ୍ରୀ କିମ୍ବା ବିଭାଜିତ ହୋଇଥିଲେ, ତାହା ଅବୈଧ ବିବେଚିତ ହେବା ସହ ଉଲଙ୍ଘନକାରୀଙ୍କୁ ଜମିରୁ ଉଚ୍ଛେଦ କରାଯାଉଥିଲା। ଏହାକୁ ଦୃଷ୍ଟିରୁ ରଖି କ୍ୟାବିନେଟ୍ ଏହି ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫କୁ ଉଚ୍ଚେଦ କରିବାକୁ ଅନୁମୋଦନ କରିଛନ୍ତି । ଏହି ସଂଶୋଧନ ଦ୍ୱାରା ଜମି ମାଲିକମାନେ ସେମାନଙ୍କ ଚକ ଜମି ବିଭାଜନ କରିପାରିବେ । ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଏହା ଦ୍ୱାରା ରେଜିଷ୍ଟ୍ରି ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ୱ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ ।

Related Articles

Back to top button