ବ୍ରହ୍ମପୁରରେ ଗୁରୁତର ଆହତ ଅଜଗର ସାପର ହେଲା ଅସ୍ତ୍ରୋପଚାର

ବ୍ରହ୍ମପୁର: ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଏକ ଗୁରୁତର ଅଜଗରକୁ ବୁଧବାର ଅସ୍ତ୍ରୋପଚାର କରାଯାଇଛି। ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟରେ ଡାକ୍ତରମାନେ ମିଶି ଏହି ଅସ୍ତ୍ରୋପ୍ରଚାର କରିଛନ୍ତି। ଖବର ଅନୁସାରେ, ଗତକାଲି ଏକ ଅଜଗର ସାପ ଗୁରୁତର ଆହତ ଭାବେ ଚିକିଟି ବ୍ଲକର ଆରସିବାନି ବସ ଷ୍ଟାଣ୍ଡ ପାଖରେ ପଡିଛି ବୋଲି ବନ ବିଭାଗ ଜାଣିବାକୁ ପାଇଥିଲା। ଏହାପରେ ବନ ବିଭାଗ ଓ ସ୍ଥାନୀୟ ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟମାନଙ୍କ ଦ୍ୱାରା ଏହି ସାପକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ପଶୁ ଚିକିତ୍ସାଳୟକୁ ଅଣା ଯାଇଥିଲା। ଗୁରୁତର ଅଜଗରଟିର ପାଟିର ବାମ ମାଢ଼ିଟି ଖସି ଯାଇଥିବା ବେଳେ ତା ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସାପର ଏପରି ଅବସ୍ଥାଦେଖି ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନେ ତୁରନ୍ତ ସାପର ଅସ୍ତ୍ରୋପ୍ରଚାର କରିଥିଲେ।

ବ୍ରହ୍ମପୁର ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ଡକ୍ଟର ରୁଦ୍ର ପ୍ରସାଦ ରଥଙ୍କ ନେତୃତ୍ୱରେ ଡାକ୍ତର କିରଣ କୁମାର ବିଶୋୟୀଙ୍କ ସହିତ ତାଙ୍କ ଟିମ ଅସ୍ତ୍ରୋପ୍ରଚାର କରିଥିବା ବେଳେ ବ୍ରହ୍ମପୁର ବନ ବିଭାଗ କର୍ମଚାରୀ ଏବଂ ସର୍ପ ଉଦ୍ଧାରକମାନେ ଏଥିରେ ସହଯୋଗ କରିଥିଲେ। ସାପଟିର ମୁଣ୍ଡରେ ଗଭୀର ଆଘାତ ହୋଇଥିବା ୨ଟି ଜାଗାକୁ ଷ୍ଟିଚ୍‌ କରିବା ସହ ତାକୁ ବିଭିନ୍ନ ଔଷଧ ଦିଆଯାଇଥିଲା। ଏବେ ସାପର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଅଜଗର ଚିକିତ୍ସାଧୀନ ରହିଛି ବୋଲି ପଶୁ ଚିକିତ୍ସକ କିରଣ କୁମାର ବିଷୋୟୀ କହିଛନ୍ତି। ଏହି ଅସ୍ତ୍ରୋପ୍ରଚାର ବେଳେ ବ୍ରହ୍ମପୁର ବନପାଳ ବାବୁ ସେଠୀ, ପଶୁ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

Related Articles

Back to top button