ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀଙ୍କୁ ମାଡ଼ : ୩ ମହିଳା ଗିରଫ

ବାଲେଶ୍ଵର ଜିଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ମାଡ଼ ମରାଯିବା ଘଟଣାରେ ୩ ମହିଳାଙ୍କୁ ଆଜି ପୁଲିସ ଗିରଫ କରିଛି। ମହିଳାଙ୍କୁ ମାଡ଼ ମରାଯିବର ଭିଡିଓ ପ୍ରଘଟ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ସୁଭଦ୍ରା ଯୋଜନା ପାଇଁ କାମ ନ କରିବାକୁ ଧମକ ଦେଇ କିଛି ଗ୍ରାମବାସୀ ଉର୍ମିଳାଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ। ଏହା ଜଣାପଡ଼ିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉର୍ମିଳାଙ୍କ ସହିତ କଥା ହୋଇଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୩ ମହିଳାଙ୍କୁ ଗିରଫ କରିଛି।

ଅନ୍ୟପଟେ ମାଡ଼ ମାରିବା ଘଟଣାରେ ପୀଡ଼ିତାଙ୍କ ସହ କଥା ହେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭଲ ଚିକିତ୍ସା, ସୁରକ୍ଷାର ପ୍ରତିଶୃତି ଦେବା ସହ ଆବଶ୍ୟକ ପଡିଲେ ତାଙ୍କ ସହ ସିଧା କଥା ହେବା ପାଇଁ ଫୋନ ନମ୍ବର ମଧ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ। ତେବେ ସୁଭଦ୍ରା ଯୋଜନାରେ କାମ କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ। ଅଭିଯୋଗ ଶୁଣିବା ପରେ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଘଟଣା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ମେଡିକାଲରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ବାଲେଶ୍ୱର ଏସ୍ ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସୂଚନା ଅନୁସାରେ ଗତ ଗୁରୁବାର ଉର୍ମିଳା ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରି ଘରକୁ ବାହାରିବା ବେଳେ ଗାଁର ୧୫ ଜଣ ମହିଳା ପହଞ୍ଚିଥିଲେ। ପ୍ରଥମେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ଚେୟାରରେ ବାନ୍ଧି ଉର୍ମିଳାଙ୍କୁ ମାଡ଼ ମାରିଥିଲେ। ପରେ ଘୋଷାଡ଼ି ନେଇ ଏକ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ। ଖବରପାଇ ସିଡ଼ିପିଓ ଓ ଅଙ୍ଗନବାଡ଼ି କର୍ମୀ ଘଟଣାସ୍ଥଳରୁ ଉର୍ମିଳାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Related Articles

Back to top button