
ବିବାହ କଲେ ପାଲଲହଡା ବିଧାୟକ ମୁକେଶ ପାଲ
ଅନୁଗୁଳ: ବିବାହ କଲେ ଅନୁଗୁଳ ଜିଲ୍ଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ। ଗତକାଲି ଅନୁଗୋଳର ଏକ ତାରକା ହୋଟେଲରେ ହିନ୍ଦୁ ରୀତି ନୀତିରେ ବଡ଼ ଧୁମଧାମରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିଧାୟକ ମୁକେଶ ପାଲ ଅନୁଗୋଳ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିଶା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି।
ମହା ଆଡ଼ମ୍ବରରେ ବିବାହ ଆୟୋଜନ ହୋଇଥିଲା। ବିଧାୟକଙ୍କ ଘର ଅମଲାପଡାରୁ ବିବାହ ଶୋଭାଯାତ୍ରା ବାହାରି କନ୍ୟା ଘରେ ପହଞ୍ଚିଥିଲା। ବାଣ ରୋଷଣୀରେ ପୂରା ଅଞ୍ଚଳ ଫାଟି ପଡ଼ୁଥିଲା। ବନ୍ଧୁ ବର୍ଗ ସମସ୍ତେ ଡିଜେର ତାଳେ ତାଳେ ନାଚି ନାଚି ଶହ ଶହ ବରଯାତ୍ରୀ ପଞ୍ଚିଥିଲେ ଅନୁଗୁଳ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ ଘରେ। ସେଠାରେ ସୁରଖୁରରେ ବିବାହ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତା ରବିବାର ବିଧାୟକଙ୍କ ପକ୍ଷରୁ ପାଲଲହଡାରେ ଭୋଜିର ଆୟୋଜନ କରାଯିବା ନେଇ ସୂଚନା ମିଳିଛି।
ସୂଚନା ଥାଉକି, ମୁକେଶ ପାଲ ଚଳିତ ଥର ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଧାୟକ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିବାରୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି।