୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଚଳିତ ମାସ ୨୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିବା ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି; କିନ୍ତୁ ସମ୍ଭାବ୍ୟ ଲଘୁଚାପ ଗତିବିଧି ଏବଂ କେଉଁ ରାଜ୍ୟ ଉପରେ ପ୍ରଭାବ ପକାଇବ ସେ ନେଇ କୌଣସି ସ୍ପଷ୍ଟ ଆକଳନ କରାଯାଇ ନାହିଁ। ୯ ଦିନରୁ ଊର୍ଦ୍ଧ୍ବ ସମୟ ବାକି ଥିବାରୁ ଏବେଠାରୁ ସ୍ପଷ୍ଟ କରିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ରାତି ଓ ସକାଳ ସମୟରେ ଅନୁଭୂତ ହେଉଥିବା ଶୀତ ପ୍ରକୋପ ସାମାନ୍ୟ କମିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସି ପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡ, କିରେଇ ଓ ଦାରିଙ୍ଗବାଡିରେ ୧୩ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ଭୁବନେଶ୍ବର ୧୮.୮ ଡିଗ୍ରୀ ଏବଂ କଟକ ୧୮ ଡିଗ୍ରୀ ପାରଦ ରହିଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପ୍ରାକ୍ତନ ନିର୍ଦେଶକ ଶରତଚନ୍ଦ୍ର ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ। ତାମିଲନାଡୁ, ଶ୍ରୀଲଙ୍କା ଆଡ଼କୁ ଏହା ଗତି କରିବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି କହିଛନ୍ତି।

Related Articles

Back to top button