ପ୍ରବଳ ବର୍ଷାରେ ଭିଜିବ ଓଡିଶା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶାର ତଟୀୟ କ୍ଷେତ୍ରରେ ସୃଷ୍ଟ ଲଘୁଚାପବଳୟ ଯୋଗୁ ଉପକୂଳ ସମେତ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୪ ଦିନ ଯାଏଁ ଏହାର ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରା ଯାଇଛି ।

ଆସନ୍ତା ୨୪ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଅନ୍ୟପଟେ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ କରିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଏସବୁ ଅଞ୍ଚଳରେ ୨୧ରୁ ୩୧ ତାରିଖ ମଧ୍ୟରେ ୧୮୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି ଓ ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଗର୍ଭ ଫୁଲିବ ଓ କିଛି ଶାଖା ନଦୀରେ ବନ୍ୟା ର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବକ,ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ ଗଞ୍ଜାମ, ଦେବଗଡ଼ ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ବର୍ଷାର ଆଶଙ୍କା ରହୁଛି । ତେବେ ବର୍ତମାନ ସକ୍ରିୟ ଲଘୁଚାପ ପ୍ରଭାବରେ ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

Related Articles

Back to top button