ମୌସୁମୀ ଅଧିବେଶନରୁ ସସପେଣ୍ଡ ହେଲେ ଆପ୍ ସାଂସଦ ସଞ୍ଜୟ ସିଂହ

ଜୋରଦାର ହଙ୍ଗାମା ଭିତରେ ଶେଷ ହୋଇଛି ସଂସଦ ମୌସମୀ ଅଧିବେଶନର ତୃତୀୟ ଦିନ । ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ନିଲମ୍ବନ କରିବା ପରେ, ବିରୋଧୀ ସାଂସଦ ମାନେ ଏହାକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି । ସୋମବାର ରାଜ୍ୟସଭା ଉପ ସଭାପତି ହରିବଂଶ ସିଂହ ଆପ୍ ସାଂସଦ ସଞ୍ଜୟ ସିଂକୁ ରାଜ୍ୟସଭା ସଦନରୁ ବାହାରକୁ ଯିବାକୁ ଅନୁରୋଧ କରିଥିଲେ । ହେଲେ ସେ କିନ୍ତୁ ସଦନ ବାହାରକୁ ଯାଇନଥିଲେ । ଯାହାପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ସ୍ଥଗିତ କରିଦିଆଯାଇଛି ।

ସଂସଦରେ ମଣିପୁର ପ୍ରସଙ୍ଗକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ରାଜ୍ୟସଭାରେ ଆପ୍ ସାଂସଦ ସଞ୍ଜୟ ସିଂ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ସଂସଦରେ ମଣିପୁର ହିଂସାକୁ ନେଇ କିଛି ବି କାହିଁକି କହୁନାହାଁନ୍ତି ? ପ୍ରଧାନମନ୍ତ୍ରୀ ସଂସଦରେ ଏହାକୁ ନେଇ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହଁନ୍ତି । ସରକାର ମଧ୍ୟ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ନୁହଁ । ତେଣ ୁସେ ଏହି ପ୍ରସଙ୍ଗରେ ନିଜର ବିରୋଧ ପ୍ରଦର୍ଶନ ଜାରିରଖିବେ ବୋଲି କହିଥିଲେ ।

ଜାଣିରଖିବା ଉଚିତ୍ ଯେ, ସଂସଦର ଉଭୟ ସଦନରେ ମଣିପୁର ହିଂସାକୁ ନେଇ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବା ପାଇଁ ସରକାର ପ୍ରସ୍ତୁତ ଅଛି । ରାଜ୍ୟସଭାରେ ଗୃହର ସଭାପତି ଜଗଦୀପ ଧନଖଡ ଏବଂ ଟିଏମସି ସାଂସଦ ଡେରେକ୍ ଓ ବ୍ରାଏନଙ୍କ ଭିତରେ କଥା କଟାକଟି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହେଇଥିଲା । ସେପଟେ ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।

Related Articles

Back to top button