ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କରିଛନ୍ତି ରାଜ୍ୟପାଳ

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି । ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଡ. ଯଜ୍ଞେଶ୍ୱର ଦଣ୍ଡାପାଟଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଛି । ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ପ୍ରବୀର କୁମାର ଦାସ ହାଇକୋର୍ଟରେ ମାମଲା ଦାୟର କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ୨୩ ନଭେମ୍ବର ୨୦୨୪ରେ ସମାପ୍ତ ହୋଇଥିଲା । ପୁନର୍ବାର ତାଙ୍କର କାର୍ଯ୍ୟକାଳକୁ ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ୨୩ ମେ ୨୦୨୫ରେ ସମାପ୍ତ ହୋଇଥିଲା । ଏହା ପରେ ଦୀର୍ଘଦିନ ପର୍ଯ୍ୟନ୍ତ କୁଳପତି ପଦ ଖାଲି ରହିଥିଲା । ଚଳିତବର୍ଷ ମେ ୨୭ ତାରିଖରେ ରାଜ୍ୟପାଳ ଉତ୍କଳ ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ ଦାୟିତ୍ୱରେ ଥିବା ପ୍ରଫେସର ଜଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଭାରାପ୍ରାପ୍ତ କୁଳପତିଭାବେ ନିଯୁକ୍ତି ଦେଇଥିଲେ ।

ତେବେ ଆଇନଜୀବୀ ପ୍ରବୀର ଦାସ ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । କୌଣସି କାରଣ ବଶତଃ ସ୍ଥାୟୀ କୁଳପତି ନିଯୁକ୍ତି ସମ୍ଭବ ନ ହେଲେ ଓଡ଼ିଶା ବିଶ୍ଵବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬ (୧୦) ଅନୁସାରେ ଅନ୍ୟ ଯେକୌଣସି ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦେବାର ପ୍ରାବଧାନ ରହିଛି । କୌଣସି ବିଭାଗ ଉକ୍ତ ବିଶ୍ୱବିଦ୍ୟାଳୟର ବିଭାଗୀୟ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ କୁଳପତି ଦାୟିତ୍ୱ ଦିଆଯାଇପାରିବ ନାହିଁ । ମୁଖ୍ୟ ବିଚାରପତି ହରିଶ୍ ଟାଣ୍ଡନ ଓ ବିଚାରପତି ଏମ.ଏସ. ରମଣ ପ୍ରାଥମିକ ଶୁଣାଣି କରି କହିଥିଲେ ଯେ ଓଡ଼ିଶା ବିଶ୍ଵବିଦ୍ୟାଳୟ ଅଧିନିୟମ, ୧୯୮୯ର ପ୍ରାବଧାନକୁ କିପରି ଉଲ୍ଲଘଂନ କରାଗଲା ସେ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏହି ମାମଲାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ, କୁଳାଧିପତିଙ୍କର ପ୍ରମୁଖ ସଚିବ ,ଉତ୍କଳ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଓ କୁଳସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

Related Articles

Back to top button