ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ପୁରୀରେ ଖୋଲିବ ସ୍ୱତନ୍ତ୍ର ଏଏସ୍‌ଆଇ ସର୍କଲ୍‌ କାର୍ଯ୍ୟାଳୟ

କଟକ : ଉଭୟ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ପୁରୀରେ ଏକ ସ୍ୱତନ୍ତ୍ର ଏଏସ୍‌ଆଇ ସର୍କଲ୍‌ କାର୍ଯ୍ୟାଳୟ ଖୋଲିବ। ଏହି ମନ୍ଦିରଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉ ନ ଥିବା ତଥା ଠିକ୍‌ ଢଙ୍ଗରେ ମରାମତି କାର୍ଯ୍ୟ କରାଯାଉ ନ ଥିବା ପ୍ରସଙ୍ଗରେ ରୁଜ୍ଜୁ ଜନସ୍ୱାର୍ଥ ମାମଲାରେ କେନ୍ଦ୍ର ସରକାର ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଜବାବ୍‌ ଦାଖଲ କରାଯାଇଛି । ଏଣିକି ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ୱର ଏଏସ୍‌ଆଇ କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।

ପୁରୀ ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ମରାମତି ମାମଲାରେ ଗୁରୁବାର  ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ନାଟ ମଣ୍ଡପ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କଢା ଉପରେ ସ୍ଥିତିପତ୍ର ଦାଖଲ କରିବା ପାଇଁ ଏଏସଆଇକୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ମାର୍ଚ୍ଚ ୧୬କୁ ଧାର୍ଯ୍ୟ ହୋଇଥିବାବେଳେ ତା ପୂର୍ବରୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ରହିଛି। ତେବେ ଆଜିର ଶୁଣାଣି ସମୟରେ ଏଏସଆଇ ପକ୍ଷରୁ ଦର୍ଶା ଯାଇଥିଲେ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କଢା ପ୍ରାରମ୍ଭିକ ଭାବେ ଚାଲିଛି; ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଏହି ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ସଂରକ୍ଷଣ ଓ ମରାମତି କରିବା ଆବଶ୍ୟକ ରହିଛି ବୋଲି ଦର୍ଶାଇ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ଏକ ମିସ୍ କେସ୍ ଦାୟର କରିଛନ୍ତି। ତେବେ ମରାମତି ପାଇଁ ଅତ୍ୟାଧୁନିକ ସାମଗ୍ରୀ ସହ ନୂତନ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଛି। ତେବେ ପୁରୁଣା କାରୁକାର୍ଯ୍ୟ ବାହାର କରାଯାଇ ମନ୍ଦିରକୁ ଶ୍ରୀହୀନ କରାଯାଇଛି। ଏଏସଆଇ ପକ୍ଷରୁ ମଧ୍ୟ ନିମ୍ନ ମାନର କାର୍ଯ୍ୟ କରାଯାଉଛି। ହାଇକୋର୍ଟ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରାଯିବା ସହ ମନ୍ଦିର ସୁରକ୍ଷା ନେଇ ଜଣେ କୋର୍ଟ ମିତ୍ରଙ୍କୁ ନିଯୁକ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେବେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଅସୁରିକ୍ଷତ ପାଇଁ ଏଏସଆଇ, କେନ୍ଦ୍ର ଓ ରାଜ୍ୟ ଦାୟୀ ବୋଲି ସେ ଦର୍ଶାଇଛନ୍ତି। କୋଣାର୍କ ସ୍ଥିତି ଏତେ ଦୁର୍ବଳ ହୋଇ ଗଲାଣି ଯେ ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହେଲେ ଏହା ଭୁଶୁଡି ଯାଇ ପାରେ, ତୁରନ୍ତ ଯଦି ଉପଯୁକ୍ତ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରା ନ ଯାଏ; ତେବେ କୋଣାର୍କ ଭୁଶୁଡି ପଡିବ। ଏଏସଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ କେଣସି ପ୍ରକାର ସମନ୍ୱୟ ନଥିବା ବେଳେ ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ଦର୍ଶାଯାଇଛି। ସେହିପରି ଶ୍ରୀମନ୍ଦିର ଜଗମୋହନ ଦୁର୍ବଳ ହୋଇଯାଇଥିବା ଦର୍ଶାଇ ଅଭିଶେକ ଦାସ ମାମଲା ରୁଜୁ କରି ତୁରନ୍ତ ମରାମତି ପାଇଁ ଏଏସଆଇକୁ ନିର୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ ଏଏସଆଇ ନିର୍ଦେଶକ, ଅଧିକ୍ଷକ, ପୁରୀ ମନ୍ଦିର ପ୍ରଶାସନ, ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

Related Articles

Back to top button