ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ, ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ

ଭୁବନେଶ୍ଵର: ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ୩୩ଦିନ ଚାଲିବାକୁ ଥିବା ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ଏବେଠୁ ବାରି ହୋଇପଡ଼ିଲାଣି । କାରଣ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମାମଲାକୁ ଗୃହରେ ଉଠାଇବେ ବୋଲି କହିଲେଣି ବିରୋଧୀ । ସେହିଭଳି ଚାଷୀ, ବେକାରୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ କମ୍ପିବ ଗୃହୋ । ସେପଟେ ସମସ୍ତ ପ୍ରସଙ୍ଗର ସାମ୍ନା କରିବାକୁ ସରକାରୀ ଦଳ ପ୍ରସ୍ତୁତ ବୋଲି କହିଛି ବିଜେଡି ।

ଗୁରୁବାର ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ । ସରକାରଙ୍କୁ ଘେରିବାକୁ  ସଜବାଜ ହେଲେଣି ବିରୋଧୀ । ହାତରେ ପୁଳା ପୁଳା ପ୍ରସଙ୍ଗ। ବିଧାନସଭା ଆରମ୍ଭ ରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ କମ୍ପିବ ଗୃହ । ଏବେଠୁ ଏହାର ଇଶାରା ଦେଇ ସାରିଲେଣି ବିରୋଧୀ । କାରଣ ଏଭଳି ଘଟଣା ପୂର୍ବରୁ କେବେ ବି ଓଡିଶାରେ ଦେଖିବାକୁ ମିଳିନଥିଲା ।  ପ୍ରଥମ ଥର ପାଇଁ ଏହି ମାମଲାରେ ଆଇଏଏସ, ଆଇପିଏସ ସମେତ ଏକାଧିକ ବଡ ନେତା ସାମିଲ ଥିବା ଚର୍ଚ୍ଚା ହେଉଛି । ତେଣୁ ଉଭୟ ବିରୋଧୀ ଦଳ ବିଜେପ ଓ କଂଗ୍ରେସ ଆରମ୍ଭରୁ ଏହାକୁ ମୁଦ୍ଦା କରିବାକୁ ନେଇଛନ୍ତି ନିଷ୍ପତି। ଏଥି ସହ ଚାଷୀ ସମସ୍ୟା, ଫସଲ ବୀମା ନମିଳିବା, ମଣ୍ଡି ସମସ୍ୟା , ଧାନ କିଣାରେ କଟନୀ ଛଟନୀ, ଦାଦନ ସମସ୍ୟା, ବେକାରୀ ସମସ୍ୟା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ବି ବିଧାନସଭାରେ ଉଠାଇବାକୁ ଯୋଜନା କରିଛନ୍ତି ବିରୋଧୀ ।

ସେପଟେ ସମସ୍ତ ପ୍ରସଙ୍ଗ ସହ ବିରୋଧୀଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ଶାସକ ଦଳ । ବିରୋଧୀ ଦଳ ପକ୍ଷରୁ ବିଧାନସଭାର ବିଧି ବିଧାନ ଅନୁସାରେ ଯେଉଁ ସବୁ ପ୍ରସଙ୍ଗ ଉଠାଯିବ ତାହା ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବିଜେଡି ନେତା ।  ବିକାଶ ସହିତ ବିଜେଡି ଥିବା ବେଳେ ଯେଉଁ କ୍ଷେତ୍ରରେ କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନ କରିଛନ୍ତି । ତାକୁ ବିଧାନସଭାରେ ଉଠାଇବାକୁ ଯୋଜନା କରିଛି ବିଜେଡି ।  ଗତ ଅଧିବେଶନ ପରି ପ୍ରଶ୍ନ କାଳ ଯେପରି ସ୍ବାଭାବିକ ଭାବେ ଚାଲିବ ସେ ନେଇ ବିରୋଧୀ ସହଯୋଗ କରିବେ ବୋଲି ସରକାରୀ ଦଳ ଆଶା ରଖିଛି

ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧  ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Related Articles

Back to top button