ଶନିବାର ନୀଳାଚଳ ବାହୁଡିବେ ଶ୍ରୀଜୀଉ, ଆଡ଼ପ ମଣ୍ଡପରେ ଭକ୍ତ କରିବେ ସନ୍ଧ୍ୟା ଦର୍ଶନ
ପୁରୀ: ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀମନ୍ଦିର ପ୍ରଶାସନର ନବମୀ ଦର୍ଶନ ନୀତି ନିର୍ଘଣ୍ଟ ମୁତାବକ ଜୁଲାଇ ୮ ତାରିଖରେ ଭୋର ଚାରିଟାରୁ ଦ୍ୱାରଫିଟା ସରି ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ବେଶ ଶେଷ ହୋଇ ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ ସରି ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗମଣ୍ଡପ ସରି ରାତି ୮ଟାରେ ରାହାସକୁ ଦିଅଁ ବିଜେ ହେବେ ।
ଏହା ପରେ ମଇଲମ, ଚନ୍ଦନ ଲାଗି, ବଡସିଂହାର ବେଶ, ବଡ଼ସିଂହାର ଭୋଗ, ପହୁଡ଼ ଆଳତି ବଢ଼ି ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ପଡ଼ିବ । ବାହୁଡ଼ା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବ । ବିଭିନ୍ନ ଶାସ୍ତ୍ରକୁ ଉଦ୍ଧାର କରି ଗବେଷକମାନେ ଅପରାହ୍ନ ୪ଟାରେ ସନ୍ଧ୍ୟା ଦର୍ଶନ ଶାସ୍ତ୍ର ସମ୍ମତ ନୁହେଁ ବୋଲି ମତ ଦେଇଛନ୍ତି । ସନ୍ଧ୍ୟା ଦର୍ଶନ ସାଧାରଣତଃ ସନ୍ଧ୍ୟା କାଳରେ ସମ୍ପନ୍ନ ହୁଏ । ଏହା ସହ ଭକ୍ତଙ୍କ ଧର୍ମଭାବନା ଯୋଡ଼ି ରହିଛି ।
ପୁରାଣ ବର୍ଣ୍ଣିତ ସନ୍ଧ୍ୟା ଦର୍ଶନ ସମୟ ବିଷୟରେ ମହାପ୍ରଭୁଙ୍କ ଜନ୍ମ ବୃତ୍ତାନ୍ତରେ ଉଲ୍ଲେଖ ରହିଛି । ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା କାଳରେ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ ଭକ୍ତ ଶହେ ଗୁଣ ଅଧିକ ପୁଣ୍ୟଲାଭ କରିବାର ଧର୍ମ ବିଶ୍ୱାସ ବି ରହିଛି । ଗବେଷକ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଗୁଣ୍ଡିଚା ଆଡ଼ପ ମଣ୍ଡପ ଆବଦ୍ଧ ପ୍ରକୋଷ୍ଠରେ ଅନନ୍ତ ମହାରଣା ଚତୁର୍ଦ୍ଧାମୂର୍ତ୍ତିଙ୍କ ନିର୍ମାଣ କରୁଥିଲେ ।
ଏହି ସମୟରେ ଭିତରେ କିଛି ଶବ୍ଦ ଶୁଣିବାକୁ ମିଳି ନଥିଲା । ଗୁଣ୍ଡିଚା ରାଣୀ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ବୋଧେ ଅନନ୍ତ ମହାରଣାଙ୍କ ଦେହାନ୍ତ ହୋଇଯାଇଛି । ମଣ୍ଡପ ଦ୍ୱାର ଖୋଲିବାକୁ ପଡ଼ିବ । ସେହି ଦିନ ଥିଲା ଆଷାଢ଼ ଶୁକ୍ଳ ନବମୀ ତିଥି (ବର୍ତ୍ତମାନର ସନ୍ଧ୍ୟାଦର୍ଶନ ସମୟ) । ମହାପ୍ରଭୁଙ୍କ ଆଦେଶ ଆସିଲା ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ କରି ନୀଳକଣ୍ଠ ମହାଦେବଙ୍କୁ ଦର୍ଶନ କରିବା ପରେ ଯଜ୍ଞ ନୃସିଂହଙ୍କ ଠାରୁ ଦର୍ଶନ ଅନୁମତି ଆଣିବେ ତାପରେ ଦ୍ୱାର ଖୋଲିବ ।
ତଦନୁସାରେ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ କର୍ମକାଣ୍ଡ କରି ଦ୍ୱାର ଖୋଲିଥିଲେ । ସେହି ସମୟରେ ସନ୍ଧ୍ୟା କାଳ ଥିଲା । ଗବେଷକ ଡ. ମିଶ୍ର ଆହୁରି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ବେଳେ ଶୂନ୍ୟବାଣୀ ହୋଇଥିଲା ପ୍ରତିବର୍ଷ ମୋର ଗୁଣ୍ଡିଚା ମନ୍ଦିରକୁ ଯାତ୍ରାର ବ୍ୟବସ୍ଥା କରିବ । ବାହୁଡ଼ା ଯାତ୍ରା ପୂର୍ବ ଦିନ ମୋର ସନ୍ଧ୍ୟା ଦର୍ଶନ କରିବାର ବ୍ୟବସ୍ଥା କରିବ ।
ସୂର୍ଯ୍ୟାସ୍ତ ପରେ ଏହି ଦର୍ଶନ କଲେ ଭକ୍ତ ଅମାପ ପୁଣ୍ୟ ଅର୍ଜନ କରିବେ । ବର୍ତ୍ତମାନ ସୂର୍ଯ୍ୟାସ୍ତ ପରେ ପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ବିଧି ପାଳନ ହେଉନାହିଁ । ଏହା ପରମ୍ପରା ତଥା ଶାସ୍ତ୍ରୀୟ ମାର୍ଗଦର୍ଶନ ବିରୋଧୀ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ସନ୍ଧ୍ୟା ଦର୍ଶନ ପୂର୍ବରୁ ବିଧି ମୁତାବକ ଭକ୍ତମାନେ କର୍ମକାଣ୍ଡ ବିଧି କରୁ ନଥିବାରୁ ଡ. ମିଶ୍ର ଉଦ୍ବେଗ ପ୍ରକାଶ କରିଛନ୍ତି ।