ରାଜ୍ୟରେ ଆଗୁଆ କରାଯିବ ଯୁକ୍ତଦୁଇ ପରୀକ୍ଷା

ଆସନ୍ତା ବର୍ଷ ଏପ୍ରିଲ- ମେ ମାସରେ ସାଧାରଣ ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଏବେଠାରୁ ସମସ୍ତ ପ୍ରକାରର ପ୍ରସ୍ତୁତି ପ୍ରକ୍ରିଆ ଆରମ୍ଭ ହୋଇଯାଇଛି । ଗତ ସେପ୍ଟେମ୍ବର ମାସରେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ ନିର୍ବାଚନର ପ୍ରାଥମିକ ପ୍ରସ୍ତୁତି ସମୀକ୍ଷା କରିଥିଲେ । ସମସ୍ତ ଇଭିଏମକୁ ଯାଞ୍ଚ କରାଯିବ ବୋଲି ଏହି ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କହିଥିଲେ ।

ତେବେ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ବାଚନ ପାଇଁ ବିଭିନ୍ନ କଲେଜମାନଙ୍କରେ ଭୋଟ ଗ୍ରହଣ କରାଯିବ ଓ କିଛି କଳେଜରେ ଭୋଟ ବାକ୍ସକୁ ସୁରକ୍ଷିତ ଭାବେ ରଖାଯିବ । ଏପରି ସ୍ଥିତିରେ ନିର୍ବାଚନ ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷା ଶେଷ କରିବାକୁ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଯୋଜନା କରୁଛି ।

ତେବେ ଆସନ୍ତା ଜାନୁଆରୀ ମାସ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ସେହିପରି ଫେବୃଆରୀ ମାସର ମଧ୍ୟଭାଗରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇପାରେ । ଫେବୃଆରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ମଧ୍ୟରେ ଶେଷ କରିବାକୁ ସିଏଚଏସଇ ଲକ୍ଷ୍ୟ ରଖିଛି । ନିର୍ବାଚନ ପାଇଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯେଭଳି ପ୍ରଭାବିତ ନହୁଏ ସେଥିପାଇଁ ଧ୍ୟାନ ଦିଆଯାଉଛି । ତେଣୁ ଆଗକୁ ଆଗୁଆ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button