ଖୁବ୍‌ ଶୀଘ୍ର ପୁରୀ-ହାୱଡ଼ା ମଧ୍ୟରେ ଚାଲିବ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ ଟ୍ରେନ୍‌

ସମ୍ବଲପୁର: ଖୁବ୍ ଶୀଘ୍ର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଆରମ୍ଭ କରିବା ଯୋଜନା ରହିଛି। ଏହି ଟ୍ରେନ୍‌ଟି ପୁରୀରୁ ହାୱଡ଼ା ମଧ୍ୟରେ ଚାଲିବ। ପୂର୍ବରୁ ପୁରୀରୁ କୋଲକାତା ମଧ୍ୟରେ ୧୩ ଯୋଡ଼ା ‌ସିଧାସଳଖ ଟ୍ରେନ୍‌ ଚାଲୁଛି। ଏହା ସହ ଉକ୍ତ ମାର୍ଗରେ ଶତାବ୍ଦୀ, ଜନଶତାବ୍ଦୀ ଭଳି ଏକ୍ସପ୍ରେସ୍‌ ଚାଲୁଥିବାବେଳେ ଶତାବ୍ଦୀ ଟ୍ରେନ୍‌ର ଅଧିକାଂଶ ସିଟ୍ ଖାଲିଯାଉଛି। ତେଣୁ ଓଡ଼ିଶା ପାଇଁ ଟ୍ରେନ୍‌ ଘୋଷଣାବେଳେ ଓଡ଼ିଆ ରେଳଯାତ୍ରୀ ଉପକୃତ ହେବା ଭଳି ମାର୍ଗ ଚୟନ କରିବା ଆବଶ୍ୟକ ଥିଲାବୋଲି ସଚେତନ ଲୋକ ମତଦେଇଛନ୍ତି। ପୂର୍ବରୁ ପଶ୍ଚିମବଙ୍ଗକୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିସାରିଛି ଯାହାକି ହାୱଡ଼ାରୁ ନ୍ୟୁ ଜଲ୍‌ପାଇଗୁଡ଼ି ମଧ୍ୟରେ ଚାଲୁଛି। ପୁରୀ-ହାୱଡ଼ା ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତର ରକ୍ଷଣାବେକ୍ଷଣ ହାୱଡ଼ାରେ ହେବ ଓ ପରିଚାଳନା ଦାୟିତ୍ବ ବି ଦକ୍ଷିଣପୂର୍ବ ରେଳବାଇକୁ ଦିଆଯିବ ବୋଲି କୁହାଯାଉଛି। ଫଳରେ ଏହି ଟ୍ରେନ୍‌ ନାଁକୁ ଓଡ଼ିଶା ଓ କାମକୁ ପଶ୍ଚିମବଙ୍ଗର ହେବ। ଓଡ଼ିଶା ପାଇଁ ମିଳିବାକୁ ଥିବା ବନ୍ଦେ ଭାରତ ‌ଏକ୍ସପ୍ରେସ୍‌ ଟ୍ରେନ୍‌ଟିକୁ ପୁରୀରୁ ଭୁବନେଶ୍ବର, କଟକ, ସମ୍ବଲପୁର ସିଟି ଦେଇ ରାଉରକେଲା ପର୍ଯ୍ୟନ୍ତ ଚଳାଇବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା। ‌ଏହା ହୋଇଥିଲେ ଓଡ଼ିଶାର ୫ ମଧ୍ୟରୁ ୪ଟି ମହାନଗର ସମେତ ପୁରୀ, ଖୋର୍ଦ୍ଧା ରୋଡ୍‌, ଢେଙ୍କାନାଳ, ଅନୁଗୁଳ ଓ ଝାରସୁଗୁଡ଼ା ଆଦି ୫ଟି ଜିଲ୍ଲାର ପ୍ରମୁଖ ଷ୍ଟେସନ୍ ଏହି ଟ୍ରେନ୍‌ ଦ୍ବାରା ଯୋଡ଼ି ହୋଇଥାଆନ୍ତା। ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଆ ଯାତ୍ରୀଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦିଅନ୍ତୁ ଓ ଏହି ମାର୍ଗ ଦେଇ ରାଜ୍ୟର ଦ୍ବିତୀୟ ବନ୍ଦେ ଭାରତ ଶୀଘ୍ର ଆରମ୍ଭ କରନ୍ତୁ ବୋଲି ବିଭିନ୍ନ ସହରର ସଚେତନ ରେଳଯାତ୍ରୀ ମତ ଦେଇଛନ୍ତି।

Related Articles

Back to top button