କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜିଲ୍ଲାର ଏକ୍ସ କ୍ୟାଡ଼ରର ଶିକ୍ଷକ ସଂଘ । ଶିକ୍ଷକଙ୍କ ଗୋଟିଏ ମାସର ଦରମାରେ ହୋଇଛି ଜାଲିଆତି । ଦରମାକୁ ଶିକ୍ଷକଙ୍କ ଆକାଉଣ୍ଟକୁ ପଠାନଯାଇ ଦରମା ପ୍ରଦାନ କରିବା ଦାୟିତ୍ବରେ ଥିବା ମହିଳା ଆକାଉଣ୍ଟାଣ୍ଟ ଏହାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲାପାଳ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସମ୍ପୃକ୍ତ ମହିଳା ଆକାଉଣ୍ଟାଣ୍ଟ ଫେରାର ଥିବା ଜଣାପଡ଼ିଛି ।

ବିଦ୍ୟାଳୟ ଶିକ୍ଷା ମନ୍ଦିର ହେଲେ ଶିକ୍ଷକ ହେଉଛନ୍ତି ଦେବତା । ବାପା ମା’ ପିଲାଙ୍କୁ ଯେତେବେଳେ ବିଦ୍ୟାଳୟରେ ଛାଡି ଦିଅନ୍ତି ସେହି ସମୟରେ ଶିକ୍ଷକ ସେହି କୋମଳମତି ପିଲାର ଅଳି ଅଝଟ ସହି ତାକୁ ସମାଜରେ ଭଲ ମଣିଷ କରି ଗଢି ତୋଳିଥାନ୍ତି । ହେଲେ ସେହି ଶିକ୍ଷକଙ୍କ ଦରମା ହଡ଼ପ ହେବା ନିହାନ୍ତି ବିଡମ୍ବନାର ବିଷୟ । ଏଭଳି ଘଟଣା ସାମନାକୁ ଆସିବା ପରେ ଶିକ୍ଷା ବିଭାଗକୁ କାଠଗଢ଼ାରେ ଛିଡା କରାଇଛି । ଶିକ୍ଷକଙ୍କ ଗୋଟିଏ ମାସର ଦରମାରେ ହୋଇଛି ଜାଲିଆତି । ଅଭିଯୋଗ ଅନୁଯାୟୀ ଜିଲ୍ଲାର ଭାବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହେବାରୁ ଶିକ୍ଷକ ମାନେ ଯାଇ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ସେଠାରେ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିବା ପରେ ଦରମା ପ୍ରଦାନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା କହିବା ପରେ ଶିକ୍ଷକ ମାନେ ବ୍ୟାଙ୍କକୁ ଯାଇ ସେଠାରେ ଦରମାର ଯାଞ୍ଚ କରିଥିଲେ ।

ହେଲେ ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇନଥିବା ନେଇ ବ୍ୟାଙ୍କ ସୂତ୍ରରୁ ଜଣାପଡିବା ପରେ ଶିକ୍ଷକଙ୍କ ମନରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ଏହାସହ ବ୍ୟାଙ୍କରୁ ମିଳିଥିବା ତଥ୍ୟ ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଜାଲିଆତିକୁ ପଦାରେ ପକାଇଛି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାଙ୍କକୁ ଦେଇଥିବା କାଗଜପତ୍ରରେ ବିଗତ ୪ ମାସ ତଳେ ଅବସର ଗ୍ରହଣ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କ ଦସ୍ତଖତରେ ସମସ୍ତ କାଗଜପତ୍ର ବ୍ୟାଙ୍କରେ ଜମା କରାଯାଇଥିବା ବେଳେ ଜଣେ ଅବସର ପ୍ରାପ୍ତ ଅଧିକାରୀଙ୍କ ଦସ୍ତଖତ କିଭଳି ଲାଗିଲା ତାହାକୁ ନେଇ ଏଠାରେ ପ୍ରଶ୍ନ ଉଠିଛି ।

Related Articles

Back to top button