17 ରୁ 19 ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା

କଲବଲ କରୁଛି କୁହୁଡ଼ି ଓ କୋହଲା ପବନ । ଏଥି ମଧ୍ୟରେ ଆଜି ଠାରୁ 2 ଦିନ ପର୍ଯ୍ୟନ୍ତ ରହିଛି ବର୍ଷା ସମ୍ଭାବନା । ଏ ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।ସୂଚନା ଅନୁସାରେ, ଜାନୁଆରି 17 ରୁ 19 ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆସନ୍ତା 24 ଘଣ୍ଟା ମଧ୍ୟରେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁରରେ ବର୍ଷା ହେବାକୁ ଥିବା ବେଳେ ପରବର୍ତ୍ତୀ 24 ଘଣ୍ଟାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ।ଏହା ବାଦ୍ ରାଜ୍ୟର ସମସ୍ତ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବୁଧବାର ସକାଳ ସମୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହା ବ୍ୟତୀତ, ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଲାଗିରହିବ । ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା 8 ଡିଗ୍ରି ଥିବା ବେଳେ ସୁନ୍ଦରଗଡ଼ରେ 8.6, କୋରାପୁଟରେ 9.2, ରାଉରକେଲାରେ 9.8, ଜି ଉଦୟଗିରିରେ 10, ଝାରସୁଗୁଡ଼ା ଓ ରାଣୀତାଲରେ 10.2, ଫୁଲବାଣୀରେ 11, କେନ୍ଦୁଝରଗଡ଼ରେ 12 ଓ ବାରିପଦାରେ 12.4 ଡିଗ୍ରି ରେକର୍ଡ ହୋଇଛି ।

ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବଲାଙ୍ଗୀର, ନୟାଗଡ଼, ଦାରିଙ୍ଗବାଡ଼ି, ଅନୁଗୁଳ ଓ କଟକରେ ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା 50 ରୁ 200 ମିଟର ମଧ୍ୟରେ ରହିଥିଲା । ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ବାକି ଜିଲ୍ଲାଗୁଡ଼ିକରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନାହିଁ । ବହୁ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ କମ୍‌ ରହିଛି ।

Related Articles

Back to top button