୭୫ ବର୍ଷରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ

୧୯୫୪ ମସିହାରେ ମଧ୍ୟବର୍ତ୍ତୀ ବିଜ୍ଞାନ ପାଠ୍ୟକ୍ରମ ଆୟୋଜିତ ହୋଇଥିଲା, ୧୯୭୧ ମସିହାରେ ରାଜ୍ୟ ସରକାର ଏହି ମହାବିଦ୍ୟାଳୟକୁ ଗ୍ରହଣ କରିଥିଲେ

ଭଦ୍ରକ : ୧୯୪୮ ମସିହାରୁ ପ୍ରତିଷ୍ଠିତ ଓଡିଶାର ଦ୍ଵିତୀୟ ସର୍ବ ବୃହତ୍ତମ କଲେଜ  ୭୫ବର୍ଷରେ ପଦାର୍ପଣ କରିଛି । ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ କେବଳ ଭଦ୍ରକ ଜିଲ୍ଲାର ଗୌରବ ନୁହେଁ, ଭଦ୍ରକବାସୀ ତଥା ଓଡିଶାର ଇତିହାସର ପୃଷ୍ଠଭୂମି । ଇତିହାସ ଓ ଶହିଦଙ୍କ ମାଟିର ମହାବିଦ୍ୟାଳୟ ହେଉଛି ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ । ଜୁଲାଇ ମାସ ୬ ତାରିଖ ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ମହାବିଦ୍ୟାଳୟ । ୨୭ ଏକର ଜମିରେ ନିର୍ମିତ ହୋଇଥିଲା ଏହି କଲେଜ । ଡକ୍ଟର ହରେକୃଷ୍ଣ ମହତାବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ନରେନ୍ଦ୍ର ପ୍ରସାଦ ଦାସ, ସମାଜସେବୀ ତଥା ବିଶିଷ୍ଠ ବୁଦ୍ଧିଜୀବୀ ଛକଡୀ ମହାନ୍ତି ଓ ଖଣି ମାଲିକ ସିରାଜୁଦ୍ଦିନଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା ଭଦ୍ରକ କଲେଜ ।

୧୯୫୪ ମସିହାରେ ମଧ୍ୟବର୍ତ୍ତୀ ବିଜ୍ଞାନ ପାଠ୍ୟକ୍ରମ ଆୟୋଜିତ ହୋଇଥିଲା । ୧୯୭୧ ମସିହାରେ ରାଜ୍ୟ ସରକାର ଏହି ମହାବିଦ୍ୟାଳୟକୁ ଗ୍ରହଣ କରିଥିଲେ । ଏହି ମହାବିଦ୍ୟାଳୟ ଅଧିନରେ ୨୨ଟି ବିଭାଗରେ ଶିକ୍ଷାଦାନ କରାଯାଉଛି । ତେବେ ଏହି ମହାବିଦ୍ୟାଳୟରୁ ପାଠ ପଡିଥିବା ବ୍ୟକ୍ତିମାନେ ଏବେ ସାମଜର ବହୁ ଉଚ୍ଚ ପଦପଦବୀରେ ପ୍ରତିଷ୍ଠିତ ହୋଇ କେବଳ ଭଦ୍ରକ ନୁହେଁ ରାଜ୍ୟ ତଥା ଦେଶର ଟେକ ରଖିଛନ୍ତି । ଏଥର ୭୫ତମ ସ୍ଵନକ୍ଷେତ୍ର ଅବସରରେ ବିଶ୍ବ ବିଦ୍ୟାଳୟର ମାନ୍ୟତା ପାଇଁ ଏକାଠି ହୋଇଛନ୍ତି ପୁରାତନ ଛାତ୍ରଛାତ୍ରୀ ।

ଐତିହାସିକ ତଥା ଓଡିଶାର ଦ୍ଵିତୀୟ ସର୍ବବୃହତ ମହାବିଦ୍ୟାଳୟ ଭଦ୍ରକ କଲେଜର ୭୫ତମ ପ୍ରତିଷ୍ଠା ଦିବସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କଲେଜର ହୀରକ ଜୟନ୍ତୀ ସମାରୋହ ବର୍ଷ ବ୍ୟାପି ପାଳିତ ହେବାକୁ ସିଦ୍ଧାନ୍ତ ହୋଇଥିବା ବେଳେ ବୁଧବାର ପ୍ରତିଷ୍ଠା ଦିବସରେ ବିଧାୟକ ସଞ୍ଜୀବ ମଲ୍ଲିକ, ପୌରପାଳ ଗୁଲମକ୍କି ହବିବ, ପୁରାତନ ଛାତ୍ର ସଂସଦ ସଭାପତି ଅଜୟ ନାୟକଙ୍କ ସହ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ବର୍ଷବ୍ୟାପୀ ମହୋତ୍ସବର ଶୁଭ ଉଦଘାଟନ କରିଥିଲେ ।

ପ୍ରଥମେ କଲେଜ ପରିସରରେ ଥିବା ପ୍ରତିଷ୍ଠାତା ହରେକୃଷ୍ଣ ମହତାବ, ନରେନ୍ଦ୍ର ଦାସ, ଛକଡି ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସାରିବା ପରେ ପତାକା ଉତ୍ତୋଳନ କରାଯାଇଥିଲା । ପରେ କଲେଜ ପରିସରରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Related Articles

Back to top button