ଧରାପୃଷ୍ଠରୁ ବିଦାୟ ନେଲେ ଜଗତଜନନୀ, ପୁଣି ଆରବର୍ଷକୁ ଅପେକ୍ଷା

ଭୁବନେଶ୍ବର: ସରିଲା ଦଶହରା । ଆଜି ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ଜଗଜଜନନୀ ମା’ ଦୁର୍ଗା । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ଦେବୀ ଦଶଭୂଜାଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ । ଆଜି ଭସାଣ ଉତ୍ସବ ହୋଇଥିବାରୁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବିସର୍ଜନ ପାଇଁ କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଛି । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ମା’ଙ୍କ ଭସାଣୀ ହେଇଛି । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ଭସାଣୀ ପାଇଁ ୪ଟି ଅସ୍ଥାୟୀ ପୋଖରୀ ତିଆରି ହୋଇଛି ।

ଖୁଆଖାଇ ଓ ଦୟା ନଦୀରେ ଉଭୟ ନଦୀରେ ୨ଟି ଲେଖାଏଁ ପୋଖରୀ କରାଯାଇଛି । ଏଥିପାଇଁ ବିଏମସି, କମିଶନରରେଟ ପୋଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଧିରେ ଧିରେ ମେଢ଼ ଗୁଡ଼ିକୁ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀକୁ ଅଣାଯାଉଛି । ଶାନ୍ତିଶୃଙ୍ଖଳାର ସହ ଭସାଣୀ ଉତ୍ସବ ପାଇଁ କମିଶନରରେଟ୍ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ଏଥିପାଇଁ ଟ୍ୱିନସିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଏହାସହିତ ବିସର୍ଜିତ ମୂର୍ତ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଓ ପଦାର୍ଥ ଯେପରି ନଦୀ କିମ୍ବା ପୁଷ୍କରିଣୀ ଜଳ ସଂସ୍ପର୍ଶରେ ନ ଆସେ ସେଥିପ୍ରତି ଧ୍ୟାନ ଦିଆଯିବା ସହ ମୂର୍ତ୍ତି ବିସର୍ଜନ ପୂର୍ବରୁ ସମସ୍ତ ଫୁଲ, ପତ୍ର, ବସ୍ତ୍ର, କାଗଜ ଏବଂ ଅନ୍ୟାନ୍ୟ ସାଜସଜ୍ଜା ଗୁଡିକୁ ମୂର୍ତ୍ତିରୁ କାଢି ପୃଥକୀକରଣ କରିବା ପାଇଁ ଜାରି ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭସାଣ ପାଇଁ ଭୁବନେଶ୍ବରରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ଭସାଣ ଉତ୍ସବ ପାଇଁ ୩ ଜଣ ଅତିରିକ୍ତ ଡିସିପି ଦାୟିତ୍ବରେ ରହିବେ । ଭୁବନେଶ୍ବରରେ ୩ଟି ଭସାଣି କମିଟି ରହିଛି । ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ରୁଟ୍ ଲାଇନ ବ୍ୟବସ୍ଥା କରାଯାଇଛି । ଟ୍ରାଫିକରେ ଜାମ ସ୍ଥିତି ନ ଉପୁଜିବା ଉପରେ ଗୁରୁତ୍ବ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ମା’ ଦୁର୍ଗାଙ୍କୁ ଭସାଣି ଦେବା ସମୟରେ ଭାବବିହ୍ୱୋଳ ହୋଇଛି ଭକ୍ତ । ମନରେ ଦୁଃଖ ଥିଲେ ବି ଜୟ ମା’ ଦୁର୍ଗା ଧ୍ବନିରେ ଶଙ୍ଖ ବଜାଇ ହୁଳହୁଳି ହରିବୋଲ ପକାଇ ଘଣ୍ଟାଘଣ୍ଟି ସହ ମା’ଙ୍କୁ ମେଲାଣି ଦିଆଯାଇଛି । ଆଉ ବଡ ଆବିଳତାର ସହ ଶ୍ରଦ୍ଧାଳୁ ପୁଣି ଚାହିଁ ରହିଛନ୍ତି ଆରବର୍ଷକୁ ।

Related Articles

Back to top button