ସରିଲା ଖଣ୍ଡଗିରି ମାଘସପ୍ତମୀ ମେଳା

ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ସକାଳୁ ସକାଳୁ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଉଠିଥିଲା ଖଣ୍ଡଗିରି । ଯଜ୍ଞକୁଣ୍ଡ ମାନଙ୍କରୁ ବାହାରୁଥିବା ହୋମ ଧୂଆଁର ମହକରେ ମହକି ଉଠିଥିଲା ପୂରା ଖଣ୍ଡଗିରି । ଜଳୁଥିବା ହୋମ କୁଣ୍ଡ ଖଣ୍ଡଗିରି ପାହାଡ଼କୁ ଆଲୋକିତ କରି ଦେଉଥିଲା। ହୋମଯଜ୍ଞ ସରିବା ପରେ ସନ୍ଥ ଶିବିରରେ ଶ୍ରଦ୍ଧାଳୁମାନଙ୍କୁ ଚାରୁ ଅନ୍ନ ବଣ୍ଟନ କରାଯାଇଥିଲା। ନାଗା ଶିବିରରେ ଧୂମା ପ୍ରସାଦ ବଣ୍ଟନ କରାଯାଇଥିଲା। ଏଠାରେ ବହୁ ଭକ୍ତ ଧୂମାପ୍ରସାଦ ଖାଇଥିଲେ। ଖଣ୍ଡଗିରି ମେଳାରେ ଖଣ୍ଡଖିରି ହେଉଛି ପ୍ରକୃତ ଭୋଗ। ଏହି ଭୋଗ ମାଘସପ୍ତମୀ ଦିନ ମଧ୍ୟ ଲାଗୁ ହୁଏ ଏବଂ ବଣ୍ଟନ କରାଯାଏ।

ଏହାପରେ ସାଧୁସନ୍ଥମାନେ ମେଲାଣି ନେଇଥିଲେ। ଭାବବିହ୍ବଳ ପରିବେଶରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥମାନଙ୍କୁ ବିଦାୟ ଦେଇଥିଲେ। ମା’ ବାରଭୁଜାଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପର୍ବ ପ୍ରଥମେ ଆରମ୍ଭ ହୋଇଥିଲା। ପରେ ସବୁ ଯଜ୍ଞକୁଣ୍ଡରେ ଏହି ପର୍ବ ସମାହିତ ହୋଇଥିଲା। ପୂର୍ଣ୍ଣାହୁତି ବେଳେ ସବୁଆଡ଼େ ହରିବୋଲ ହୁଳହଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା। ଗୁରୁଦେବଙ୍କୁ ଶ୍ରଦ୍ଧାଳୁମାନେ ଭକ୍ତିଭରା ବିଦାୟ ଦେଉଥିବାର ଦୃଶ୍ୟ ଭାବାବେଗପୂର୍ଣ୍ଣ ଥିଲା। ନାଗା ବାବାଙ୍କୁ ଭକ୍ତମାନେ କୁଣ୍ଢାଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। ସପ୍ତମୀରେ ଆରମ୍ଭ ହୋଇଥିବା ଏହି କୁମ୍ଭମେଳା ଆଜି ମାଘ ପୂର୍ଣ୍ଣମୀରେ ଶେଷ ହୋଇଛି।

Related Articles

Back to top button