ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କାମ ୨୦୨୭ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ
ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କାମ ୨୦୨୭ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି । ଭୂପୃଷ୍ଠରୁ ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍ରେ ପରୀକ୍ଷା ଚାଲିଛି । ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ୍ କାମ ଆରମ୍ଭ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ କର୍ତ୍ତୃପକ୍ଷ । ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି । ଭୂପୃଷ୍ଠରୁ ୧୩ ଫୁଟ୍ ଉଚ୍ଚରେ ମେଟ୍ରୋ ଚାଲିବ । ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଆବଶ୍ୟକତା ଅନୁଯାଇ ନିର୍ମାଣ କରାଯିବ । ପ୍ରତ୍ୟେକ ୧୦ ମିନିଟରେ ମେଟ୍ରୋ ଟ୍ରେନ୍ ସେବା ଯୋଗାଇ ଦିଆଯିବ । ଏଥି ପାଇଁ ୩ଟି କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣାଯିବାର ଯୋଜନା କରାଯାଇଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରାୟ ୬ ହଜାର ୨୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ସଂପ୍ରସାରଣ ହେବ । ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ । ପ୍ରଥମ ପର୍ଯ୍ୟାୟ ମେଟ୍ରୋ ଲାଇନ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଏବଂ ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି ।