କମିବ ଶୀତ, ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ

ଭୁବନେଶ୍ୱର: ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଥିବା ବେଳେ ଏବେ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରାରେ ବୃଦ୍ଧି ଘଟିବ । ସେହିପରି ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୩ରୁ ୪ ଦିନ ଭିତରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ଶନିବାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ଭାବେ ବିବେଚିତ ହୋଇଥିଲା । ଏଠାରେ ରାତିର ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସେମିଳିଗୁଡାରେ ତାପମାତ୍ରା ୬.୧ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ୭.୫ ଡିଗ୍ରୀ, କିରେଇରେ ୭.୮ ଡିଗ୍ରୀ, କୋରାପୁଟରେ ୮.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ଓ ଚିପିଲିମାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱରରେ ରାତିର ତାପମାତ୍ରା ୧୨.୪ ଡିଗ୍ରୀ ରହିଥିବାବେଳେ ଗତ ୩ ଦିନ ହେବ ଭୋର ସମୟରେ କୁହୁଡ଼ି ଦେଖିବାକୁ ମିଳୁଛି । ସେହିଭଳି କଟକ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ଜଗତ୍ସିଂହପୁର, ଗଂଜାମ ଓ କନ୍ଧମାଳରେ କୁହୁଡ଼ି ଦେଖାଦେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଯୋଗୁ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି ।

Related Articles

Back to top button