ଚଳିତମାସ ଶେଷ ସୁଦ୍ଧା ସବୁ ମେଡ଼ିକାଲରେ ଲାଗୁ ହେବ ବାୟୋମେଟ୍ରିକ୍‍ ବ୍ୟବସ୍ଥା

ଭୁବନେଶ୍ୱର କ୍ୟାପିଟାଲ୍‍ ହସ୍ପିଟାଲ ଏବଂ ରାଉରକେଲା ଆଇ.ଜି.ଏଚ୍‍. ସମେତ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବାୟୋମେଟ୍ରିକ୍‍ ଉପସ୍ଥାନ ବ୍ୟବସ୍ଥା ଚଳିତମାସ ଶେଷ ସୁଦ୍ଧା ଲାଗୁ କରାଯିବ । ଡାକ୍ତର, କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯିବ । ପରବର୍ତ୍ତୀ ସମୟରେ ସବୁ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନାରୁ ଜଣାପଡ଼ିଛି । ପର୍ଯ୍ୟାୟକ୍ରମେ ବାୟୋମେଟ୍ରିକ୍‍ ଉପସ୍ଥାନ ବ୍ୟବସ୍ଥା ପଞ୍ଚାୟତସ୍ତରୀୟ ଡାକ୍ତରଖାନାରେ ଲାଗୁ କରାଯିବ । ଏହି ବ୍ୟବସ୍ଥା ଲାଗୁ କରାଗଲେ ଡାକ୍ତରଖାନାରେ ରୋଗୀସେବା ତ୍ୱରାନ୍ୱିତ ହୋଇପାରିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

ତେବେ ଡାକ୍ତରଖାନା ହେଉ କି ମେଡିକାଲ କଲେଜ, ସମୟାନୁବର୍ତ୍ତିତାକୁ ଗୁରୁତ୍ୱ । ସବୁଠି ବାୟୋମେଟ୍ରିକ ଓ ସିସିଟିଭି ଲଗାଇବା ବାଧ୍ୟତାମୂଳକ । କର୍ତ୍ତବ୍ୟରେ ଅବହେଳାକୁ ଆଦୌ କରାଯିବନି ବରଦାସ୍ତ । ଅଭ୍ୟାସଗତ ଖିଲାପିଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସମସ୍ତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ଡାକ୍ତରଖାନାରେ ଭିତ୍ତିଭୂମି ନିର୍ମାଣ ସହିତ ଡାକ୍ତର ଓ କର୍ମଚାରୀଙ୍କ ଖାଲି ପଦବୀ ପୂରଣ କରୁଛନ୍ତି । ତେବେ କିଛି ଡାକ୍ତର ଓ କର୍ମଚାରୀଙ୍କ ମନମାନି ପାଇଁ ସରକାରଙ୍କ ଆଭିମୁଖ୍ୟ ପୂରଣରେ ବାଧା ଉପୁଜୁଛି । କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଡାରକ୍ତଖାନାରେ ସୃଷ୍ଟି ହେଉଛି କୁତ୍ରିମ ଅଚଳାବସ୍ଥା । ଏହାକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ଓ ହସ୍ପିଟାଲଠାରୁ ଆରମ୍ଭ କରି ସିଏଚସି, ପିଏଚସି ପର୍ଯ୍ୟନ୍ତ ସବୁ ଡାକ୍ତରଖାନାରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେଉଛି ସ୍ୱାସ୍ଥ୍ୟ ବିଭାଗ ।

Related Articles

Back to top button