ରାଜ୍ୟ ସମ୍ପାଦକ ଭାବେ ରାଜୁ ଘିବେଲାଙ୍କୁ ନିଯୁକ୍ତି ଦେଲା ବିଜେଡ଼ି

ପଦ୍ମପୁର: ବିଜେଡ଼ିରେ ମିଶିଥିବା ପଦ୍ମପୁରର ରାଜୁ ଘିବେଲାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ବିଜେଡ଼ି ରାଜ୍ୟ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଦଳର ରାଜ୍ୟ ସମ୍ପାଦକ ପଦ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆଜି ସୂଚନା ଦେଇଛନ୍ତି । ତେବେ ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ଭୋଟ ପଡିବ। ନିକଟରେ ବିଜେପି ଛାଡି ରାଜୁ ଘିବେଲା ବିଜୁ ଜନତା ଦଳରେ ମିଶିବା ପରେ ବହୁ ବିଜେପି ନେତା ଓ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ସୂଚନା ମୁତାବକ, ପଦ୍ମପୁର ନିର୍ବାଚନ ମଣ୍ଡଳୀ ତଥା ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଂଚାୟତର ବିଜେପିର ଟାଣୁଆ ନେତା ପୂର୍ବତନ ସରପଂଚ ବାବୁଲୁ ବହିଦାର, ବରିହାପାଲିର ସ୍ଵାଧୀନ ସମିତି ସଭ୍ୟ ଶ୍ରୀକାନ୍ତ ସାହୁ, ପୁରେନା ପଂଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ବେହେରା ଓ ତାଙ୍କ ଧର୍ମପତ୍ନୀ ସରପଞ୍ଚ ପ୍ରାର୍ଥୀନୀ ପିଙ୍କି ବେହେରା ସମେତ ଶତାଧିକ ମହିଳା ଓ ପୁରୁଷ ମାନେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂହ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଉପସ୍ଥିତିରେ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ବିଜେପିର ବରିଷ୍ଠ ନେତା ରାଜୁ ଘିବେଲା ମଧ୍ୟ ଦଳ ପରିତ୍ୟାଗ କରି ମନ୍ତ୍ରୀ ଟିକୁନୀ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ । ସେ ପଦ୍ମପୁର ଅଞ୍ଚଳର ଜଣେ ଯୁବ ସଂଗଠକ ହୋଇଥିବାରୁ ଆସନ୍ତା ଉପ ନିର୍ବାଚନରେ ବିଜେଡି ପାଇଁ ଫଳପ୍ରଦ ହେବ ବୋଲି ଆଲୋଚନା ହେଉଛି ।ରାଜୁ ଜଣେ ଦୄଢ ସଙ୍ଗଠକ ହୋଇଥିବାବେଳେ ପଦମପୁର ଅଞ୍ଚଳରେ ତାଙ୍କ ଭଲ ଜନ ସମର୍ଥନ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ରାଜୁ ଘିବେଲା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ପରେ ବିଜେପରେ ସାମିଲ ହୋଇଥିଲେ । ଉପ ନିର୍ବାଚନ ପୂର୍ବରୁ ବିଜେଡିରେ ରାଜୁଙ୍କ ଯୋଗଦାନ ଦଳକୁ ଅଧିକ ସୁଦୃଢ଼ କରିଛି।

Related Articles

Back to top button