ଛଅଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି : ବିଜେଡି

ସୋମବାର ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା ବିଜେଡି । ଛଅଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ଷ୍ଟେଟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଛନ୍ତି। ଏଥିସହ ବିଜେଡିର ସାଂଗଠନିକ ନିର୍ବାଚନ ପରେ ୧୫ ଜଣ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରୋହିତ ପୂଜାରୀ ଯଥାକ୍ରମେ ଭୁବନେଶ୍ୱର ଏବଂ ସମ୍ବଲପୁରର ସାଂଗଠନିକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ସରୋଜ କୁମାର ମେହେରଙ୍କୁ ବଲାଙ୍ଗୀରର ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଥିବା ବେଳେ ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝରର ସଭାପତି ହୋଇଛନ୍ତି। ପ୍ରଦ୍ୟୁମ୍ନ ତ୍ରିପାଠୀ ରାଉରକେଲାର ସାଂଗଠନିକ ଜିଲ୍ଲା ସଭାପତି ଏବଂ ଦେବାଶିଷ ମାରାଣ୍ଡି ମୟୁରଭଞ୍ଜ ଜିଲ୍ଲାର ସଭାପତି ହୋଇଛନ୍ତି।

ସେହିପରି ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ ରହିଛନ୍ତି । ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି । ଉପସଭାପତି ତାଲିକାରେ ପ୍ରଣବପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଓ ରାଜେନ୍ଦ୍ର ଢ଼ୋଲକିଆ ମଧ୍ୟ ସ୍ଥାନ ପାଇଛନ୍ତି ।ବିଭିନ୍ନ ଶାଖା/ସେଲ୍‌ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍‌ ଥାଇ ଦାୟିତ୍ବ ପ୍ରଦାନ କରାଯାଇଛି । ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଛନ୍ତି। ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

ସେହିପରି ଆଦିବାସୀ ସେଲ୍‌ ଦାୟିତ୍ୱ ନେଇଛନ୍ତି ମଙ୍ଗଳା କିଷାନ । ବରିଷ୍ଠ ନାଗରିକ ସେଲ୍‌ ଦାୟିତ୍ୱ ଦେବାଶିଷ ସାମନ୍ତରାୟଙ୍କୁ ଦିଆଯାଇଥିବା ବେଳେ ଓବିସି ସେଲ୍‌ ଦାୟିତ୍ୱରେ ଅଛନ୍ତି ଅରୁଣ ସାହୁ । ଏସ୍‌ସି ବା ଅନୁସୂଚୀତ ଜାତି ସେଲ୍ ଦାୟିତ୍ୱ ସମ୍ଭାଳିବେ ମହେଶ ସାହୁ । ଦିଲ୍ଲୀପ ତିର୍କୀ ସଂଖ୍ୟାଲଘୁ ସେଲ୍ ଆବାହକ ହୋଇଛନ୍ତି । ୩୫ ଜଣଙ୍କୁ ଦଳର ସାଧାରଣ ସଂପାଦକ କରାଯାଇଛି । ତେବେ ବିଜେଡିର ସାଂଗଠନିକ ସମ୍ପାଦକ ପଦରେ ଏଥର କାହାରିକୁ ଅବସ୍ଥାପିତ କରାଯାଇନାହିଁ । ଗତଥର କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ସାଂଗଠନିକ ସମ୍ପାଦକ ପଦବୀ । ସାଂଗଠନିକ ସମ୍ପାଦକ ପଦରେ ଥିଲେ ପ୍ରଣବ ପ୍ରକାଶ ଦାସ । ଏଥର ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ଉପସଭାପତି ପଦ ।ଅନ୍ୟପକ୍ଷେ ଦଳରେ ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଛି । ବିଜେଡି ଗଠନ ହେବା ବେଳେ ବିଜୟ ମହାପାତ୍ରଙ୍କୁ ଦଳର ରାଜନୈତିକ ବ୍ୟାପାର କମିଟି ଅଧ୍ୟକ୍ଷ କରାଯାଇଥିଲା । ତେବେ ତାଙ୍କୁ ଦଳରୁ ବିଦା କରାଯିବା ପରଠୁ ଏହି କମିଟି ଅଚଳ ହୋଇଯାଇଥିଲା । ଏହି କମିଟି ନଥିଲା । ଏବେ ପୁନର୍ବାର ଏହି କମିଟି ଗଠନ କରାଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏହାର ଅଧ୍ୟକ୍ଷ କରାଯାଇଛି । ଏହି କମିଟିରେ ୧୦ ଜଣ ସ୍ଥାନ ପାଇଛନ୍ତି ।

Related Articles

Back to top button